ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ଜମି ପ୍ରସଙ୍ଗକୁ ନେଇ ରାଜନୈତିକ ବିବାଦ ତୀବ୍ର ହେବା ମଧ୍ୟରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ଼ ବୟାନ ଦେଇଛନ୍ତି। ତାଙ୍କ କିମ୍ବା ତାଙ୍କ ପରିବାର ନାଁରେ ମହାପ୍ରଭୁଙ୍କ ଗୋଟିଏ ଇଞ୍ଚ ଜମି ଥିବା ପ୍ରମାଣ ହେଲେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ସାର୍ବଜନୀନ ଭାବେ ଚ୍ୟାଲେଞ୍ଜ କରିଛନ୍ତି।
ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ମନ୍ତବ୍ୟର ଜବାବ ଦେଇ ପୃଥ୍ୱୀରାଜ କହିଛନ୍ତି ଯେ, ସେ ମହାପ୍ରଭୁଙ୍କ ପ୍ରତି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ଏବଂ ପୁରୀ ଶ୍ରୀମନ୍ଦିରକୁ ଦେଶର ସର୍ବଶ୍ରେଷ୍ଠ ତୀର୍ଥସ୍ଥାନ ଭାବେ ଗଢ଼ି ତୋଳିବା ସରକାରଙ୍କ ନିରନ୍ତର ପ୍ରୟାସ ବୋଲି ଦାବି କରିଛନ୍ତି।
ଆଇନମନ୍ତ୍ରୀଙ୍କ ଅଭିଯୋଗ ଅନୁସାରେ, କିଛି କୁଚକ୍ରୀ ଲୋକ ଶ୍ରୀମନ୍ଦିରକୁ ନେଇ ମିଥ୍ୟା ଅପପ୍ରଚାର କରୁଛନ୍ତି। ସେ କହିଛନ୍ତି, ଯଦି କେହି ତାଙ୍କ କିମ୍ବା ତାଙ୍କ ପରିବାର ନାଁରେ ଜଗନ୍ନାଥଙ୍କ ଜମି ଥିବା ପ୍ରମାଣ କରିପାରିବେ, ତେବେ ସେ କେବଳ ରାଜନୀତିରୁ ଅବସର ନେବେ ନୁହେଁ, ବରଂ ଦୁର୍ନୀତିର କୌଣସି ଅଭିଯୋଗ ପ୍ରମାଣିତ ହେଲେ ମଧ୍ୟ ସାର୍ବଜନୀନ ଜୀବନ ଛାଡ଼ିଦେବେ ବୋଲି କହିଛନ୍ତି।
ଅନ୍ୟପଟେ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଇନମନ୍ତ୍ରୀ ଓ ତାଙ୍କ ପରିବାର ନାଁରେ ମହାପ୍ରଭୁଙ୍କ ଜମି ଅଛି କି ନାହିଁ, ସେନେଇ ଶପଥପୂର୍ବକ ସ୍ପଷ୍ଟ କରିବାକୁ ଦାବି କରିଥିଲେ। ଏହି ମନ୍ତବ୍ୟକୁ ପୃଥ୍ୱୀରାଜ “ଦୁର୍ଭାଗ୍ୟଜନକ” ବୋଲି ବର୍ଣ୍ଣନା କରିବା ସହ ମିଥ୍ୟା ଅପପ୍ରଚାର ଜାରି ରହିଲେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି। ଶ୍ରୀମନ୍ଦିର ଜମି ପ୍ରସଙ୍ଗକୁ ନେଇ ଉଭୟ ପକ୍ଷର ବୟାନ ପରେ ରାଜ୍ୟ ରାଜନୀତିରେ ଏହି ବିବାଦ ଆହୁରି ଚର୍ଚ୍ଚାର ବିଷୟ ପାଲଟିଛି।