ଭୁବନେଶ୍ୱର: ୧୭ତମ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନ ଶୋକ ପ୍ରସ୍ତାବରୁ ଆରମ୍ଭ ହୋଇ ଦିନସାରା ହଙ୍ଗାମା ଦେଖିବାକୁ ମିଳିଛି। MMDR ସଂଶୋଧନ ବିଲ୍ ପ୍ରତ୍ୟାହାର ଦାବି ଏବଂ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେଡି ବିଧାୟକମାନଙ୍କ ଲଗାତାର ବିକ୍ଷୋଭ ଯୋଗୁଁ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିନଥିଲା। ଶେଷରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ଅଧିବେଶନ ଆରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗତ ପୂର୍ବତନ ବିଧାୟକ, ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଗୃହ ପକ୍ଷରୁ ନେପାଳର ସମ୍ପ୍ରତିକ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ସଦସ୍ୟମାନେ ନୀରବ ପ୍ରାର୍ଥନା କରିବା ପରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଆରମ୍ଭ ହୋଇଥିଲା।
କିନ୍ତୁ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ପରିସ୍ଥିତି ବଦଳିଯାଇଥିଲା। ବିଜେଡି ବିଧାୟକମାନେ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ପ୍ରସଙ୍ଗ ଉଠାଇଥିବା ବେଳେ, କଂଗ୍ରେସ ବିଧାୟକମାନେ MMDR ବିଲ୍ ପ୍ରତ୍ୟାହାର ଦାବିରେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ଶାନ୍ତ ହୋଇନଥିଲେ। ଫଳରେ ପ୍ରଥମେ ଗୃହକୁ ଦିନ ୧ଟା ୧୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା।
୧ଟା ୧୦ରେ ଗୃହ ପୁଣି ବସିବା ପରେ ମଧ୍ୟ ବିରୋଧୀଙ୍କ ବିକ୍ଷୋଭ ଜାରି ରହିଥିଲା। ମାତ୍ର ଏକ ମିନିଟ୍ ମଧ୍ୟରେ ପୁଣି ହଟ୍ଟଗୋଳ ଆରମ୍ଭ ହେବାରୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ଅପରାହ୍ନ ୪ଟାରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ କଂଗ୍ରେସ ଓ ବିଜେଡି ବିଧାୟକମାନେ ପୁଣି ଥରେ ବେଲ୍କୁ ଓହ୍ଲାଇ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ। ମାତ୍ର ୧୧ ମିନିଟ ଚାଲିବ ପରେ ଲଗାତାର ହୋହଲ୍ଲା ଯୋଗୁଁ କୌଣସି କାର୍ଯ୍ୟସୂଚୀ ଆଗକୁ ବଢ଼ିପାରିନଥିଲା। ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ବାଚସ୍ପତି ଦିନର ସମସ୍ତ କାର୍ଯ୍ୟସୂଚୀ ବାତିଲ କରି ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି।