ଭୀଷଣ ବର୍ଷାରେ ଭିଜିଲା ଦକ୍ଷିଣ ଓଡ଼ିଶା। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ରେକର୍ଡ ହୋଇଥିବା ବେଳେ କୋରାପୁଟର ସିମିଳିଗୁଡ଼ାରେ ବର୍ଷାର ପରିମାଣ ସବୁଠାରୁ ଅଧିକ ରହିଛି। ସେପ୍ଟେମ୍ବର ୨୩ ତାରିଖ ସକାଳ ୮ଟା ୩୦ ସୁଦ୍ଧା ସିମିଳିଗୁଡ଼ାରେ ୨୩୦.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।
କେବଳ ସିମିଳିଗୁଡ଼ା ନୁହେଁ, କୋରାପୁଟ ଜିଲ୍ଲାର ଜୟପୁରରେ ୧୬୧.୬ ମିମି ଏବଂ ବୋରିଗୁମ୍ମାରେ ୧୩୮.୨ ମିମି ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ନିଚ୍ଚା ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି।
ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ତେନ୍ତୁଳିଖୁଣ୍ଟିରେ ୧୩୮ ମିମି ଏବଂ ନନ୍ଦାହାଣ୍ଡିରେ ୧୨୮ ମିମି ବର୍ଷା ରେକର୍ଡ ହୋଇଛି। ଫଳରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷାର ପ୍ରଭାବ ଅନୁଭୂତ ହୋଇଛି।
ଓଡ଼ିଶା ସହ ପଡ଼ୋଶୀ ଉପକୂଳ ଆନ୍ଧ୍ରପ୍ରଦେଶରେ ମଧ୍ୟ ବର୍ଷାର ପ୍ରକୋପ ଜାରି ରହିଛି। ଶ୍ରୀକାକୁଲମ ଜିଲ୍ଲାର ପାଲାସାରେ ୧୪୧.୪ ମିମି ଏବଂ ସୋମପେଟାରେ ୧୩୪.୬ ମିମି ବର୍ଷା ହୋଇଛି। ସେହିପରି ବାଲେଶ୍ୱରରେ ମଧ୍ୟ ୧୨୬.୪ ମିମି ବର୍ଷା ରେକର୍ଡ ହୋଇଛି। ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏଭଳି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ସ୍ଥିତି ଉପରେ ନଜର ରହିଛି।