ଭୁବନେଶ୍ୱର : ରାସନ କାର୍ଡରୁ ବାଦ ପଡ଼ିଛନ୍ତି ୯ ଲକ୍ଷ ୮୧ ହଜାର ୬୬୧ ଅଯୋଗ୍ୟ ହିତାଧିକାରୀ। ଆଜି ବିଧାନସଭା ଅଧିବେଶନ କାଳରେ ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରଶ୍ନ ରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ପ୍ରଶ୍ନ ଥିଲା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅଧୀନରେ ମୋଟ କେତେଜଣ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅଧୀନରେ ମୋଟ କେତେଜଣ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି, ବର୍ତ୍ତମାନ ସୁଦ୍ଧା NFSA ଅଧୀନରେ ନୂତନ ହିତାକାରୀ ଭାବେ ଅନ୍ତର୍ଭୁକ୍ତ ପାଇଁ ରାଜ୍ୟରେ ମୋଟ କେତେଗୋଟି ଆବେଦନ ଦାଖଲ ହୋଇଛି ଏବଂ ସେଥିରୁ କେତେଗୋଟି ଆବେଦନର ଫଇସଲା ହୋଇଛି ଓ କେତେଗୋଟି ଆବେଦନ ବିଚାରାଧୀନ ଅଛି, ସେହିପରି SFSS ଅଧୀନରେ ନୂତନ ହିତାକାରୀ ଭାବେ ଅନ୍ତର୍ଭୁକ୍ତ ପାଇଁ କେତେଗୋଟି ଆବେଦନ ମିଳିଛି, କେତେଗୋଟି ଅନୁମୋଦିତ ହୋଇଛି ଏବଂ କେତେଗୋଟି ବର୍ତ୍ତମାନ ସୁଦ୍ଧା ବିଚାରାଧୀନ ଅଛି ସବିଶେଷ ତଥ୍ୟ ଉପସ୍ଥାପନ କରିବେ କି?
ଉତ୍ତରରେ ଯୋଗାଣ ମନ୍ତ୍ରୀ କହିଥିଲେ କି ସମଗ୍ର ରାଜ୍ୟରେ, ନୂତନ ରାସନ କାର୍ଡ଼ ନିମନ୍ତେ, ସମୁଦାୟ ୨୧ ଲକ୍ଷ ୮୭ ହଜାର ୮୫ ଗୋଟି ଆବେଦନ ପ୍ରାପ୍ତ ହୋଇଥିଲା। ତନ୍ମଧ୍ୟରୁ, ସମୁଦାୟ ୧୬ ଲକ୍ଷ ୯୯ ହଜାର ୪୫୧ଗୋଟି ଆବେଦନ ଗୁଡ଼ିକର କ୍ଷେତ୍ର ତର୍ଜମା ସରିଯାଇଅଛି। ଏଥି ମଧ୍ୟରୁ, ଯୋଗ୍ୟ ବିବେଚିତ ହୋଇଥିବା ୭ ଲକ୍ଷ ୧୭ ହଜାର ୭୯୦ ପରିବାରର ୧୪ଲକ୍ଷ ୨୧ ହଜାର ୨୨୪ ସଦସ୍ୟଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଅଛି । ସେହିପରି, କ୍ଷେତ୍ର ତର୍ଜମା ପରେ, ୯ ଲକ୍ଷ ୮୧ ହଜାର ୬୬୧ ଗୋଟି ଆବେଦନ ପତ୍ର ଅଯୋଗ୍ୟ ହୋଇଅଛି ଯାହା ବାଦ ପଡିଛନ୍ତି । ବଳକା ଥିବା ୪ଲକ୍ଷ ୮୭ ହଜାର ୬୩୪ ଗୋଟି ଆବେଦନ ପତ୍ର ଗୁଡ଼ିକର କ୍ଷେତ୍ର ତର୍ଜମା ଚାଲୁରହିଛି ।
ନୂତନ ରାସନ କାର୍ଡ଼ ନିମନ୍ତେ ଆବେଦନ କରିବା, ଏହାର କ୍ଷେତ୍ର ତର୍ଜମା, ଯୋଗ୍ୟ ହେଉଥିବା ଆବେଦନ ଗୁଡି଼କୁ ନୂତନ ରାସନ କାର୍ଡ଼ ପ୍ରଦାନ ଏବଂ ଅଯୋଗ୍ୟ ଆବେଦନ ଗୁଡ଼ିକୁ ବାଦ ଦେବା, ଏକ ନିରନ୍ତର ପ୍ରକ୍ରିୟା ବୋଲି ମନ୍ତ୍ରୀ କହିଛନ୍ତି ।