ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ବୁଧବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ 36 ଜଣ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ନାମ ଘୋଷଣା କରିଛି । ବିଜେପି ଓଡ଼ିଶା ପାଇଁ ଜଣେ ପ୍ରଭାରୀ ଏବଂ ଜଣେ ସହ ପ୍ରଭାରୀଙ୍କୁ ନିଯୁକ୍ତ କରିଛନ୍ତି । ଲୋକ ସାଂସଦ ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡି.ପୁରୁନ୍ଦେଶ୍ୱରୀଙ୍କୁ ଓଡ଼ିଶା ଦାୟିତ୍ୱ ଦେଇଛି ବିଜେପି । ଡି. ପୁରୁନ୍ଦେଶ୍ୱରୀ ଓଡ଼ିଶାର ପ୍ରଭାରୀ ଭାବେ ନିଯୁକ୍ତ ପାଇଛନ୍ତି । ସେହିପରି ରାଷ୍ଟ୍ରୀୟ ସମ୍ପାଦକ ଡା. ସ୍ୱଦେଶ ସିଂହ ରାଜ୍ୟ ସହ-ପ୍ରଭାରୀ ଭାବେ ନିଯୁକ୍ତ ପାଇଛନ୍ତି ।
ଆସନ୍ତା ବର୍ଷ ରାଜ୍ୟରେ ପୌର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ସେହି ଦୃଷ୍ଟିରୁ ଡି. ପୁରୁନ୍ଦେଶ୍ୱରୀଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଡି ପୁରୁନ୍ଦେଶ୍ୱରୀ ନିକଟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ପାଇଥିଲେ । ସେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରବରମ (ରାଜମୁନ୍ଦ୍ରୀ) ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ସାଂସଦ ଭାବେ ପ୍ରତିନିଧିତ୍ୱ କରୁଛନ୍ତି । ସେ ପୂର୍ବରୁ ଆନ୍ଧ୍ର ପ୍ରଦେଶର ବିଜେପି ରାଜ୍ୟ ସଭାପତି ମଧ୍ୟ ରହିସାରିଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆଉ ଏକ ନୂତନ ଦାୟିତ୍ୱ ମିଳିଛି । ବୈଜୟନ୍ତ ପଣ୍ଡା ମହାରାଷ୍ଟ୍ରର ପ୍ରଭାରୀ ହୋଇଥିବାବେଳେ ସହ ପ୍ରଭାରୀଭାବେ ଅମିତ ମାଲବୀୟ, ସଦାନନ୍ଦ ଶେଟ ତନାୱାଡ଼େ ଓ କମଲଜିତ ସହରାୱତ ସହ-ପ୍ରଭାବୀ ଭାବେ ନିଯୁକ୍ତି ପାଇଛନ୍ତି ।