ଭୁବନେଶ୍ୱର: ଆଜିଠାରୁ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ପୂର୍ବାହ୍ନ ୧୧ ଟାରୁ ଗୃହର କାର୍ଯ୍ୟସୂଚୀ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ଗୃହରେ ଶୋକ ପ୍ରସ୍ତାବ ଆସିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବାର ସମ୍ଭାବନା ରହିଛି।
ଗୃହ ଆରମ୍ଭ ହେବାକ୍ଷଣି ପ୍ରଥମେ ଦିବଙ୍ଗତ ନେତାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଶୋକ ପ୍ରସ୍ତାବ ଅଣାଯିବ। ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଚନ୍ଦ୍ରଶେଖର ମାଝୀ, ସ୍ୱର୍ଗତ ପ୍ରଶାନ୍ତ ସିଂହ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସ୍ୱର୍ଗତ ସତ୍ୟ ଭୂଷଣ ସାହୁ, ସ୍ୱର୍ଗତ ରାମମୂର୍ତ୍ତି ମାଙ୍ଗୋ, ସ୍ୱର୍ଗତ ହାଜି ମହମ୍ମଦ ଆୟୁବ ଖାନ୍ ଏବଂ ସ୍ୱର୍ଗତ ଶିବାଜୀ ମାଝୀଙ୍କ ନାଁରେ ଶୋକ ପ୍ରସ୍ତାବ ଆସିବ। ଏହାପରେ ପ୍ରଶ୍ନକାଳରେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ ଏବଂ ଶ୍ରମ ବିଭାଗ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି।
ବିରୋଧୀଙ୍କ ଟାର୍ଗେଟ୍ ଏବଂ MMDR ପ୍ରସଙ୍ଗ
ଆଗାମୀ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ସରକାର ଏହି ଅଧିବେଶନରେ ୬ଟି ନୂତନ ବିଲ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏମ୍ଏମ୍ଡିଆର୍ (MMDR) ସଂଶୋଧନ ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଙ୍ଗାମା ହେବାର ଆଶଙ୍କା ରହିଛି। ବିଜେଡି ଏହି ପ୍ରସଙ୍ଗରେ ମୋସନ ଆଣିବା ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ କଂଗ୍ରେସ ମଧ୍ୟ ଶାସକ ଦଳକୁ ଘେରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।
ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଉପରେ ନଜର
ବିରୋଧୀ ଦଳଗୁଡ଼ିକ ପକ୍ଷରୁ MMDR ବ୍ୟତୀତ ପାଠ୍ୟପୁସ୍ତକରେ ତ୍ରୁଟି, ମହାନଦୀ ଜଳବିବାଦ, ଆଇନଶୃଙ୍ଖଳା ପରିସ୍ଥିତି, ବନ୍ୟା ପରିଚାଳନା, ପ୍ରଶ୍ନପତ୍ର ଲିକ୍, ଶିକ୍ଷକ ଓ ଚାଷୀ ସମସ୍ୟା ଏବଂ ବେକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ମୁଦ୍ଦାକୁ ମୁଖ୍ୟ ଅସ୍ତ୍ର କରାଯିବ। ଅନ୍ୟପଟେ, ବିରୋଧୀଙ୍କ ସମସ୍ତ ପ୍ରଶ୍ନ ଓ ଆକ୍ରମଣର ଦୃଢ଼ ମୁକାବିଲା କରିବା ପାଇଁ ତିନୋଟି ଯାକ ପ୍ରମୁଖ ଦଳ ନିଜସ୍ୱ ବିଧାୟକ ଦଳ ବୈଠକରେ ରଣନୀତି ଚୂଡ଼ାନ୍ତ କରିସାରିଛନ୍ତି।