ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ା (Asian Games 2026)ର ତୃତୀୟ ଦିନଟି ଭାରତୀୟ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ସଫଳ ରହିଛି। ସୋମବାର ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ମୋଟ ୪ଟି ପଦକ ହାତେଇଛନ୍ତି। ଏହାସହିତ ପାକିସ୍ତାନକୁ ବିଭିନ୍ନ ଖେଳରେ ଦୁଇଥର ପରାସ୍ତ କରିବା ସହ ବାଂଲାଦେଶ ଏବଂ ଇଣ୍ଡୋନେସିଆକୁ ମଧ୍ୟ ବେଶ୍ ଆରାମରେ ମାତ୍ ଦେଇଛନ୍ତି। ଏହି ସଫଳତା ବଳରେ ପଦକ ତାଲିକାରେ ଭାରତ ୧୨ତମ ସ୍ଥାନରେ ରହିଛି।
ସୋମବାର ଦିନ ଆସିଥିବା ଏହି ୪ଟି ପଦକ ସୁଟିଂ ଏବଂ ଏମଏମଏ ମାଧ୍ୟମରେ ମିଳିଛି। ସୁଟିଂରେ ରୁଦ୍ରାଂଶ ପାଟିଲ, ହିମାଂଶୁ ଢିଲ୍ଲୋନ ଓ ପାର୍ଥ ମାନେଙ୍କ ଯୋଡ଼ି ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଏହାଛଡ଼ା ବ୍ୟକ୍ତିଗତ ଫାଇନାଲରେ ହିମାଂଶୁ ଢିଲ୍ଲୋନ ଆଉ ଏକ ରୌପ୍ୟ ପଦକ ଏବଂ ରୁଦ୍ରାଂଶ ପାଟିଲ ବ୍ରୋଞ୍ଜ ପଦକ ଅର୍ଜନ କରିଛନ୍ତି। ସେହିପରି ମିକ୍ସଡ୍ ମାର୍ଶାଲ ଆର୍ଟ୍ସ (MMA)ର ମହିଳା ଟ୍ରେଡିସନାଲ -୬୦ କିଗ୍ରା ବର୍ଗରେ ସୁଚିକା ତାରିଆଲ ବ୍ରୋଞ୍ଜ ପଦକ ନିଜ ନାମରେ କରିଛନ୍ତି।
ଟେବୁଲ ଟେନିସରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ପାକିସ୍ତାନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇ କ୍ଲିନ୍ ସୁଇପ୍ କରିଛନ୍ତି। ମହିଳା ଟିମ୍ ପକ୍ଷରୁ ସୁତୀର୍ଥା ମୁଖାର୍ଜୀ, ସିଣ୍ଡ୍ରେଲା ଦାସ ଏବଂ ଶ୍ରୀଜା ଅକୁଲା ନିଜ ନିଜ ମ୍ୟାଚ୍ରେ ପାକିସ୍ତାନୀ ଖେଳାଳିଙ୍କୁ ୩-୦ ସେଟ୍ରେ ହରାଇଛନ୍ତି। ସେହିପରି ପୁରୁଷ ଟିମ୍ ପକ୍ଷରୁ ହରମୀତ ଦେଶାଇ, ଜି ସାଥିଆନ ଏବଂ ପାୟସ ଜୈନ ମଧ୍ୟ ପାକିସ୍ତାନକୁ ସମାନ ୩-୦ ବ୍ୟବଧାନରେ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।
କବାଡି ଓ ହକିରେ ମଧ୍ୟ ଭାରତୀୟ ଖେଳାଳିମାନେ ନିଜର ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ମହିଳା କବାଡିର ଗ୍ରୁପ୍-ଏ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ୪୨-୨୧ ବ୍ୟବଧାନରେ ସହଜରେ ହରାଇଥିବାବେଳେ, ପୁରୁଷ ଟିମ୍ ଜାପାନକୁ ୪୯-୨୪ ପଏଣ୍ଟରେ ଶୋଚନୀୟ ଭାବେ ପରାସ୍ତ କରିଛି। ଏହାଛଡ଼ା ମହିଳା ହକି ଟିମ୍ ଇଣ୍ଡୋନେସିଆ ବିପକ୍ଷରେ ଗୋଲ୍ର ବର୍ଷା କରି ୧୭-୧ ବଡ଼ ବ୍ୟବଧାନରେ ବିଜୟୀ ହୋଇଛି।
ଅନ୍ୟପକ୍ଷରେ ବ୍ୟାଡମିଣ୍ଟନର ପୁରୁଷ ଟିମ୍ ମଧ୍ୟ ବାଂଲାଦେଶକୁ ୩-୦ରେ ହରାଇ କ୍ୱାର୍ଟରଫାଇନାଲରେ ପହଞ୍ଚିଛି। ଲକ୍ଷ୍ୟ ସେନ୍, ଆୟୁଷ ଶେଟ୍ଠି ଏବଂ କେ ଶ୍ରୀକାନ୍ତଙ୍କ ଯୋଡ଼ି ବିନା କୌଣସି ମ୍ୟାଚ୍ ହାରି ଏହି ସଫଳତା ହାସଲ କରିଛନ୍ତି।