ନୂଆଦିଲ୍ଲୀ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିସିସିଆଇ ନିଜର ପ୍ରତିଷ୍ଠାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ ବ୍ଲକବଷ୍ଟର ପ୍ଲାନ ପ୍ରସ୍ତୁତ କରୁଛି। ଯଦି ଏହି ମ୍ୟାଚ୍ ଅନୁଷ୍ଠିତ ହୁଏ, ତେବେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ଼ ଜାକପଟ୍ ସଦୃଶ ହେବ। ଏହି ମ୍ୟାଚ୍ରେ ଗୋଟିଏ ପଟେ ଟିମ୍ ଇଣ୍ଡିଆ ରହିବ ଏବଂ ଅନ୍ୟପଟେ ବିଶ୍ୱର ଅନ୍ୟ ଦେଶଗୁଡ଼ିକର ସର୍ବଶ୍ରେଷ୍ଠ ଖେଳାଳିମାନେ ଏକାଠି ହୋଇ ମୁକାବିଲା କରିବେ।
ଏହି ମ୍ୟାଚ୍ କେଉଁ ଫର୍ମାଟ୍ରେ ଖେଳାଯିବ, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। କିନ୍ତୁ ମୁକାବିଲାକୁ ଅଧିକ ରୋମାଞ୍ଚକର କରିବା ପାଇଁ ବିସିସିଆଇ ଏହାକୁ ଦିନିକିଆ ର୍ମାଟ୍ରେ ଆୟୋଜନ କରିପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ମ୍ୟାଚ୍ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ହୁଏ, ତେବେ ଭାରତୀୟ ଦଳର ଦୁଇ ମହାନ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା ଏହାର ଅଂଶବିଶେଷ ହୋଇପାରିବେ ନାହିଁ, କାରଣ ସେମାନେ ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ୟାସ ନେଇସାରିଛନ୍ତି। ଏଭଳି ପରିସ୍ଥିତିରେ ଦିନିକିଆ ଫର୍ମାଟ୍ରେ ଏହି ମ୍ୟାଚ୍ ହେଲେ ପ୍ରଶଂସକମାନେ ଏକ ଲଢ଼େଇ ଦେଖିବାକୁ ପାଇବେ।
ବୋର୍ଡର ବାର୍ଷିକ ବୈଠକରେ ନିଷ୍ପତ୍ତି
ଶୁକ୍ରବାର ଦିନ ମୁମ୍ବାଇରେ ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣ ସଭା (AGM) ପରେ ଏକ ପ୍ରେସ୍ ରିଜିଜ୍ ଜାରି କରାଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ୨୦୨୮ ମସିହାରେ ହେବାକୁଥିବା ଶତାବ୍ଦୀ ସମାରୋହର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଡିସେମ୍ବର ୨୦୨୭ରୁ ଆରମ୍ଭ ହେବାକୁ ଥିବା ଏହି ଉତ୍ସବ ସାରା ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ।
ତେବେ ଏହି ବ୍ଲକବଷ୍ଟର ମ୍ୟାଚ୍ ଏବଂ ଏହାର ନିର୍ଦ୍ଦିଷ୍ଟ ତାରିଖକୁ ନେଇ ବୋର୍ଡ ପକ୍ଷରୁ ଏଯାଏଁ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ। କିନ୍ତୁ ଏହି ସମ୍ଭାବ୍ୟ ମେଗା ମ୍ୟାଚ୍କୁ ନେଇ କ୍ରିକେଟ୍ ଦୁନିଆରେ ଏବେଠାରୁ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।