ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟ୍ରେ ଏକ ନୂଆ ଐତିହାସିକ ସଫଳତା ଯୋଡ଼ି ହୋଇଛି। ଭାରତର କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ନାମରେ ଦୀର୍ଘ ଦିନ ଧରି ରହିଥିବା ଏକ ପ୍ରମୁଖ ବିଶ୍ୱ ରେକର୍ଡକୁ ଭାଙ୍ଗିଛନ୍ତି ଜିମ୍ବାବୱେର ଷ୍ଟାର୍ ୱିକେଟକିପର-ବ୍ୟାଟର ବ୍ରେଣ୍ଡନ୍ ଟେଲର୍। ପୁରୁଷ ଦିନିକିଆ କ୍ରିକେଟ୍ ଇତିହାସରେ ସବୁଠାରୁ ଦୀର୍ଘତମ କ୍ୟାରିୟର ଗଢ଼ିବାର କୀର୍ତ୍ତିମାନ ଏବେ ଟେଲର୍ଙ୍କ ନାମରେ ଲିପିବଦ୍ଧ ହୋଇଛି।
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ମଇଦାନକୁ ଓହ୍ଲାଇବା ମାତ୍ରେ ୪୦ ବର୍ଷୀୟ ଟେଲର୍ ଏହି ଅବିଶ୍ୱସନୀୟ ସଫଳତା ହାସଲ କରିଛନ୍ତି। ୨୦୦୪ ଏପ୍ରିଲ୍ରେ ନିଜର ପ୍ରଥମ ଆନ୍ତର୍ଜାତୀୟ ଦିନିକିଆ ଖେଳିଥିବା ଟେଲର୍ଙ୍କ କ୍ୟାରିୟର ଏବେ ୨୨ ବର୍ଷ ୧୪୮ ଦିନରେ ପହଞ୍ଚିଛି। ଅନ୍ୟପଟେ ସଚିନ୍ ତେନ୍ଦୁଲକରଙ୍କ ଦିନିକିଆ କ୍ୟାରିୟର ୨୨ ବର୍ଷ ୯୧ ଦିନ (୧୯୮୯ ରୁ ୨୦୧୨) ଥିଲା, ଯାହା ଏବେ ଦ୍ୱିତୀୟ ସ୍ଥାନକୁ ଖସିଆସିଛି। ଏହି ତାଲିକାରେ ଶ୍ରୀଲଙ୍କାର ପୂର୍ବତନ ସ୍ପିନ୍ ଅଲରାଉଣ୍ଡର ସନଥ୍ ଜୟସୂରିୟା (୨୧ ବର୍ଷ ୧୮୪ ଦିନ) ତୃତୀୟ ସ୍ଥାନରେ ରହିଛନ୍ତି।
ଟେଲର୍ଙ୍କ ପାଇଁ ଏହି ରେକର୍ଡ ଆଦୌ ସହଜ ନଥିଲା। ୨୦୨୧ରେ ସେ ସମସ୍ତ ପ୍ରକାର ଆନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ଏହାପରେ ଆଇସିସି (ICC) ର ଆଚରଣ ସଂହିତା ଭଙ୍ଗ ଅଭିଯୋଗରେ ତାଙ୍କୁ ୩.୫ ବର୍ଷ ପାଇଁ ବ୍ୟାନ୍ କରାଯାଇଥିଲା। ତେବେ ବ୍ୟାନ୍ ଅବଧି ଶେଷ ହେବା ପରେ, ୨୦୨୭ ବିଶ୍ୱକପ୍ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସେ ୨୦୨୫ରେ ପୁଣି ଥରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ଜିମ୍ବାବୱେ କ୍ରିକେଟ୍ର ଅନ୍ୟତମ ବୃହତ୍ ସ୍ତମ୍ଭ ଭାବେ ଗ୍ରହଣ କରାଯାଉଥିବା ଟେଲର୍ ନିଜ ଦେଶ ପାଇଁ ସର୍ବାଧିକ ୧୧ଟି ଦିନିକିଆ ଶତକ ହାସଲ କରିଛନ୍ତି। କ୍ୟାରିୟରର ଦୀର୍ଘତାରେ ଟେଲର୍ ସଚିନ୍ଙ୍କୁ ଟପି ଯାଇଥିଲେ ହେଁ, ଦିନିକିଆ କ୍ରିକେଟ୍ରେ ସର୍ବାଧିକ ରନ୍ (୧୮,୪୨୬) ଓ ସର୍ବାଧିକ ମ୍ୟାଚ୍ (୪୬୩) ଖେଳିବାର ବିଶ୍ୱ ରେକର୍ଡ ଏବେ ବି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି।