ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ତିନିଟିକିଆ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଅଭ୍ୟାସ କ୍ୟାମ୍ପ୍ ସମୟରେ ଷ୍ଟାର୍ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଇଶାନ କିଷନ ହଠାତ୍ ଅସହଜ ଅନୁଭବ କରିବାରୁ ନିଜର ବ୍ୟାଟିଂ ଅଭ୍ୟାସରେ ହିଁ ବନ୍ଦ କରିବାକୁ ପଡ଼ିଛି।
ଆସନ୍ତା ସେପ୍ଟେମ୍ବର ୧୩, ୧୫ ଏବଂ ୧୭ ତାରିଖରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜ୍ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଖେଳାଳିମାନେ ଜୋରଦାର ଅଭ୍ୟାସ ଆରମ୍ଭ କରିଥିବା ବେଳେ ଇଶାନଙ୍କ ଏଭଳି ଆହତ ସମସ୍ୟା ଦଳର ଚିନ୍ତା ବଢ଼ାଇ ଦେଇଛି।
ସାମ୍ପ୍ରତିକ ଦୁଲୀପ ଟ୍ରଫିରେ ଇଷ୍ଟ ଜୋନ୍ର କ୍ୟାପ୍ଟେନ୍ ଥିବା ଇଶାନ ଫାଇନାଲ୍ ମ୍ୟାଚ୍ରେ ଏକ ଦମଦାର୍ ୨୭୦ ରନ୍ର ମାରାଥନ୍ ପାଳି ଖେଳି ଚର୍ଚ୍ଚାରେ ଥିଲେ। ଲାଲ୍ ବଲ୍ କ୍ରିକେଟ୍ରେ ଦମଦାର୍ ପ୍ରଦର୍ଶନ କରିବା ପରେ ସେ ଏବେ ହ୍ୱାଇଟ୍ ବଲ୍ କ୍ରିକେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ନେଟ୍ ସେସନ୍ ଆରମ୍ଭରୁ ହିଁ ସେ ବେଶ୍ ଆକ୍ରମଣାତ୍ମକ ମୁଡ୍ରେ ନଜର ଆସିଥିଲେ ଏବଂ ପ୍ରାୟ ପ୍ରତ୍ୟେକ ବୋଲରଙ୍କ ବିପକ୍ଷରେ ବଡ଼ ବଡ଼ ସଟ୍ ଖେଳୁଥିଲେ। ତାଙ୍କ ବ୍ୟାଟିଂ ଶୈଳୀ ଦେଖିଲା ଲାଗୁଥିଲା ଯେ ସେ ଅଫ୍ଗାନିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ନବଦୀପ ସୈନୀଙ୍କ ବାଉନ୍ସର ବଢ଼ାଇଲା ମୁସ୍କିଲ୍
ହେଲେ ଅଭ୍ୟାସ ଚାଲିଥିବା ବେଳେ ଏକ ଅଘଟଣ ଘଟିଥିଲା। ଟିମ୍ ଇଣ୍ଡିଆର ନେଟ୍ ବୋଲର ଭାବେ ବୋଲିଂ କରୁଥିବା ନବଦୀପ ସୈନୀଙ୍କ ଏକ ଶର୍ଟ-ପିଚ୍ ବାଉନ୍ସର ବଲ୍ ଇଶାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ବଲ୍କୁ ଡକ୍ କରିବାକୁ ଚେଷ୍ଟା କରୁଥିବା ସମୟରେ ହଠାତ୍ ତାଙ୍କ ପିଠି ଏବଂ ଅଣ୍ଟାରେ କ୍ରାମ୍ପ କିମ୍ବା ମାଂସପେଶୀରେ ଟାଣ ଜନିତ ସମସ୍ୟା ଦେଖାଦେଇଥିଲା।
ଫିଜିଓଙ୍କ ପରାମର୍ଶରେ ବାହାରକୁ ଆସିଲେ ଇଶାନ
ଘଟଣାସ୍ଥଳରେ ତୁରନ୍ତ ଟିମ୍ ଇଣ୍ଡିଆର ଫିଜିଓ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଶାନ ଆଉ ବ୍ୟାଟିଂ ଜାରି ରଖି ନଥିଲେ ଏବଂ ନେଟ୍ ସେସନ୍ ଛାଡ଼ି ବାହାରକୁ ଚାଲିଆସିଥିଲେ। ବ୍ୟାଟ୍ ଓ ପ୍ୟାଡ୍ ପିନ୍ଧିଥିବା ଅବସ୍ଥାରେ ସେ ବହୁ ସମୟ ଧରି ନିଜ ପିଠି ଓ ଅଣ୍ଟାରେରେ ହାତ ପକାଇ ଅସହଜ ମୁଦ୍ରାରେ ବସିଥିବା ଦେଖିବାକୁ ମିଳିଥିଲା।
ତେବେ ଇଶାନଙ୍କ ଏହି ଆହତ ସମସ୍ୟା କେତେ ଗୁରୁତ୍ୱପୂର୍ଣ୍ଣ, ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଅଫିସିଆଲ୍ ଅପଡେଟ୍ ଆସିନାହିଁ। ଏହା କେବଳ ଏକ ସାଧାରଣ କ୍ରାମ୍ପ୍ କିମ୍ବା ମାମୁଲି ଟାଣ ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ଯଦି ସମସ୍ୟା ଅଧିକ ଗମ୍ଭୀର ହୁଏ, ତେବେ ଆଗାମୀ ମ୍ୟାଚ୍ଗୁଡ଼ିକ ପାଇଁ ଦଳର ମ୍ୟାନେଜମେଣ୍ଟକୁ ଏକ ବଡ଼ ଚିନ୍ତାରେ ପକାଇପାରେ।