ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସିଖବର ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ଅକ୍ଟୋବର ୬ ତାରିଖରେ ସେ ପୁଣିଥରେ ମୈଦାନକୁ ଫେରିବେ ବୋଲି ଜଣାପଡ଼ିଛି।
ପାଣ୍ଡ୍ୟା ଶେଷଥର ପାଇଁ ୨୦୧୮ରେ ଟେଷ୍ଟ କ୍ରିକେଟ୍ ଖେଳିଥିଲେ ଏବଂ ଗତ କିଛି ବର୍ଷ ହେବ ସେ କେବଳ୍ ଧଳା ବଲ୍ କ୍ରିକେଟ୍ ଉପରେ ଧ୍ୟାନ ଦେଇଆସୁଛନ୍ତି। ତେବେ ଲଗାତାର ଆହତ ସମସ୍ୟା ଯୋଗୁଁ ସେ ଅଧିକାଂଶ ସମୟ ଦଳରୁ ବାହାରେ ରହୁଛନ୍ତି। ଟି-୨୦ ବିଶ୍ୱକପ୍ ପରେ ସେ ଆୟର୍ଲାଣ୍ଡ, ଇଂଲଣ୍ଡ, ଜିମ୍ବାୱେ ଏବଂ ଆଫଗାନିସ୍ତାନ ବିପକ୍ଷ ସିରିଜ୍ ମଧ୍ୟ ମିସ୍ କରିସାରିଛନ୍ତି।
ଅଷ୍ଟ୍ରେଲିଆ 'ଏ' ବିପକ୍ଷରେ ମିଳିବ ସୁଯୋଗ
ଅଷ୍ଟ୍ରେଲିଆ 'ଏ' ଦଳର ଭାରତ ଗସ୍ତ ପାଇଁ ବିସିସିଆଇ ୧୫ ଜଣିଆ 'ଇଣ୍ଡିଆ ଏ' ସ୍କ୍ୱାଡ୍ ଘୋଷଣା କରିଛି, ଯେଉଁଥିରେ ହାର୍ଦିକ ପାଣ୍ଡ୍ୟାଙ୍କ ନାମ ମଧ୍ୟ ସାମିଲ ରହିଛି। ଅଷ୍ଟ୍ରେଲିଆ 'ଏ' ବିପକ୍ଷରେ ଦୁଇଟି ମଲ୍ଟି-ଡେ' ମ୍ୟାଚ୍ ପରେ ତିନିଟିକିଆ ଦିନିକିଆ ସିରିଜ୍ ଖେଳାଯିବ। ହାର୍ଦିକ କେବଳ ଦିନିକିଆ ସିରିଜ୍ ପାଇଁ ଦଳରେ ସାମିଲ ହୋଇଛନ୍ତି, ଯାହା ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବ। ତେବେ ତାଙ୍କର ଏହି ମ୍ୟାଚ୍ ଖେଳିବା ସମ୍ପୂର୍ଣ୍ଣ ଭାବେ ଫିଟ୍ନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରୁଛି।
ଇଣ୍ଡିଆ 'ଏ' ବନାମ ଅଷ୍ଟ୍ରେଲିଆ 'ଏ' ସମ୍ପୂର୍ଣ୍ଣ ସୂଚୀ
୨୨ - ୨୫ ସେପ୍ଟେମ୍ବର: ପ୍ରଥମ ମଲ୍ଟି-ଡେ' ମ୍ୟାଚ୍
୨୯ ସେପ୍ଟେମ୍ବର - ୨ ଅକ୍ଟୋବର: ଦ୍ୱିତୀୟ ମଲ୍ଟି-ଡେ' ମ୍ୟାଚ୍
୬ ଅକ୍ଟୋବର: ପ୍ରଥମ ଦିନିକିଆ ମ୍ୟାଚ୍ (ହାର୍ଦିକଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା)
୯ ଅକ୍ଟୋବର: ଦ୍ୱିତୀୟ ଦିନିକିଆ ମ୍ୟାଚ୍
୧୧ ଅକ୍ଟୋବର: ତୃତୀୟ ଦିନିକିଆ ମ୍ୟାଚ୍