ବୌଦ୍ଧ: ପିଇଟି ଶିକ୍ଷକଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ। ଜଣେ ପିଇଟି ଶିକ୍ଷକ ସପ୍ତମ ଶ୍ରେଣୀର ଜଣେ ଛାତ୍ରଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରି ଦାନ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ସମ୍ବେଦନଶୀଳ ଘଟଣା ବୌଦ୍ଧ ଜିଲ୍ଲା ବଘିଆପଡ଼ା ଜବାହାର ନବୋଦୟ ବିଦ୍ୟାଳୟରେ ଘଟିଛି।
ସୂଚନା ଅନୁଯାୟୀ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ ବେଳେଛାତ୍ର ଜଣଙ୍କୁ କୌଣସି କାରଣବଶତଃ ଶିକ୍ଷକ ଜଣକ ଅତ୍ୟନ୍ତ ଅମାନୁଷିକ ଭାବେ ପ୍ରହାର କରିଥିଲେ, ଯାହା ଫଳରେ ତାଙ୍କର ଦାନ୍ତ ଭାଙ୍ଗି ଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ଏବଂ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟ ପରିସରରେ କର୍ପୋରାଲ ପନିସମେଣ୍ଟ (ଶାରୀରିକ ନିର୍ଯାତନା) ଉପରେ ଆଇନଗତ ନିଷେଧାଦେଶ ଥିବା ସତ୍ତ୍ୱେ ଏଭଳି ଘଟଣା ପୁଣି ଥରେ ଶିକ୍ଷାନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଉଲେଖ୍ଯ ଯୋଗ୍ୟ ଦୁଇ ଦିନ ପୂର୍ବରୁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିକଟସ୍ଥ ନୂଆପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ହୋଇଥିଲେ ତୃତୀୟ ଶ୍ରେଣୀ ଛାତ୍ରୀ। ଶିକ୍ଷକଙ୍କ ମାଡ଼ ଯୋଗୁଁ ଛାତ୍ରୀଙ୍କ ନାକରେ ଗଭୀର ଆଘାତ ଲାଗିଥିଲା ଯାହାଫଳରେ ସେ ରକ୍ତାକ୍ତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାଡ ମାରିଥିବା ଶିକ୍ଷକଙ୍କ ନାମ ସଚ୍ଚିଦାନନ୍ଦ ପାତ୍ର ।