ଭୁବନେଶ୍ୱର: ଘରୁ ବାହାରିବା ପୂର୍ବରୁ ସାବଧାନ। ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ୧୨ଟି ଜିଲ୍ଲା ପାଇଁ ନାଓକାଷ୍ଟ ୱାର୍ଣ୍ଣିଂ ଜାରି କରିଛି। ଆଜି ସକାଳ ୧୦:୪୦ରେ ଜାରି ହୋଇଥିବା ସତର୍କ ସୂଚନା ଅନୁସାରେ, ଆଗାମୀ ୩ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ସମ୍ଭାବନା ରହିଛି।
ନାଓକାଷ୍ଟ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ନୂଆପଡ଼ା, ବରଗଡ଼, ବୌଦ୍ଧ, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର।
ପାଣିପାଗ ବିଭାଗ କହିଛି, କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷାର ତୀବ୍ରତା ବଢ଼ିପାରେ। ତେଣୁ ଖୋଲା ସ୍ଥାନ, ଗଛ ତଳେ କିମ୍ବା ଜଳାଶୟ ନିକଟରେ ରହିବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।
ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କୁ ପାଣିପାଗର ସଦ୍ୟତମ ସୂଚନା ଉପରେ ନଜର ରଖିବା ଓ ଆବଶ୍ୟକ ନ ହେଲେ ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ଅନୁରୋଧ କରାଯାଇଛି। ବିଶେଷକରି ଚାଷୀ, ମାଛଧରାଳି ଓ ବାହାରେ କାମ କରୁଥିବା ଲୋକମାନେ ଅଧିକ ସତର୍କ ରହିବା ଜରୁରୀ।