ନୂଆଦିଲ୍ଲୀ: ଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ କେନ୍ଦ୍ର ସାମାଜିକନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଆଠୱାଲେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। କେନ୍ଦ୍ରୀୟ କ୍ୟାବିନେଟ୍ର ଜଣେ ପ୍ରମୁଖ ଦଳିତ ଚେହେରା ଭାବେ ପରିଚିତ ଆଠୱାଲେ କହିଛନ୍ତି ଯେ, ଯଦି ଦେଶରୁ ଜାତିପ୍ରଥା ସମ୍ପୂର୍ଣ୍ଣ ଭାବେ ଲୋପ ପାଏ, ତେବେ ସେ ସଂରକ୍ଷଣ ବ୍ୟବସ୍ଥା ଛାଡିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ଛତିଶଗଡ଼ର ରାଜଧାନୀ ରାୟପୁର ଗସ୍ତରେ ଥିବାବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସମୟରେ ଜାତି ଆଧାରରେ ଆରକ୍ଷଣର ବ୍ୟବସ୍ଥା ରହିଛି। ଯେପର୍ଯ୍ୟନ୍ତ ସମାଜରୁ ଜାତିବାଦ ଶେଷ ନହୋଇଛି, ସେପର୍ଯ୍ୟନ୍ତ ସଂରକ୍ଷଣ ଜରୁରୀ ଏବଂ ଜାରି ରହିବ। କିନ୍ତୁ ଯଦି ଦେଶରୁ ଜାତିବାଦ ସବୁଦିନ ପାଇଁ ଖତମ ହୋଇଯାଏ, ତେବେ ଆମେ ଆରକ୍ଷଣ ତ୍ୟାଗ କରିବାକୁ ମଧ୍ୟ ପଛାଇବୁ ନାହିଁ।
ଗତ ସପ୍ତାହରେ ଝାରଖଣ୍ଡର ରାଞ୍ଚିରେ ମଧ୍ୟ ସେ ସମାନ ଧରଣର ମତ ରଖିଥିଲେ। ତାଙ୍କର ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି, ଯେତେବେଳେ ଦେଶର ବିଭିନ୍ନ ପ୍ରାନ୍ତରେ ସଂରକ୍ଷଣ ନୀତିକୁ ନେଇ ବିଭିନ୍ନ ସମୟରେ ବିରୋଧ ପ୍ରଦର୍ଶନ ଏବଂ ଆନ୍ଦୋଳନ ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, ଦିଲ୍ଲୀର ଜନ୍ତରମନ୍ତରଠାରେ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଏକ ବଡ଼ଧରଣର ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ଆନ୍ଦୋଳନକାରୀମାନେ ଦାବି କରିଥିଲେ ଯେ, ଜାତି ଆଧାରରେ ନୁହେଁ ବରଂ ଆର୍ଥିକ ଅନଗ୍ରସରତା ତଥା ଗରୀବୀ ଆଧାରରେ ସଂରକ୍ଷଣ ମିଳିବା ଉଚିତ। ଏହା ବ୍ୟତୀତ ବିହାର ସମେତ ଅନ୍ୟ କିଛି ରାଜ୍ୟରେ ମଧ୍ୟ ସଂରକ୍ଷଣ ସୀମା ଏବଂ ନୀତିକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ରାଜରାସ୍ତାରେ ଆନ୍ଦୋଳନ ଜାରି ରହିଛି।
Also Read: ରାଜନୀତିରୁ ବିଦାୟ ନେଇ ଅଶୋକ ସିଦ୍ଧାର୍ଥ କହିଲେ ମାୟାବତୀଙ୍କ ପ୍ରତ୍ୟେକ ନିର୍ଦ୍ଦେଶ ମୋ ପାଇଁ ଚୂଡ଼ାନ୍ତ