ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ଦୋଷୀ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଜେଲ୍ରେ ୨୫ ବର୍ଷର କାରାଦଣ୍ଡ ପୂର୍ଣ୍ଣ ହୋଇଥିବା ଦର୍ଶାଇ ସେ କରିଥିବା ମୁକ୍ତି ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି।
ପ୍ରତ୍ୟାର୍ପଣ ହୋଇ ୨୦୦୫ ମସିହାରେ ଭାରତ ଆସିଥିବା ଆବୁ ସାଲେମ ଦାବି କରିଥିଲେ ଯେ, ଭାରତ ସରକାର ପର୍ତ୍ତୁଗାଲ ସରକାରଙ୍କୁ ତାଙ୍କୁ ସର୍ବାଧିକ ୨୫ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ଓକିଲ ଋଷି ମହୋତ୍ରା ଯୁକ୍ତି ଦର୍ଶାଇଥିଲେ ଯେ, ଜେଲ୍ରେ ଭଲ ଆଚରଣ ପାଇଁ ମିଳିଥିବା କ୍ଷମା ଏବଂ ବିଚାରାଧୀନ କଏଦୀ ଭାବେ କଟାଇଥିବା ସମୟକୁ ମିଶାଇ ତାଙ୍କର ୨୫ ବର୍ଷର ଦଣ୍ଡାଦେଶ ସମାପ୍ତ ହୋଇଯାଇଛି। ତେଣୁ ତାଙ୍କୁ ଆଉ ଅଧିକ ଦିନ ଜେଲ୍ରେ ରଖିବା ବେଆଇନ।
କାହିଁକି ଆବେଦନ ପ୍ରତ୍ୟାଖ୍ୟାନ କଲେ କୋର୍ଟ ?
ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି ସ୍ପଷ୍ଟ କରିଛନ୍ତି ଯେ, ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ହୋଇଥିବା ଗଣନା ଅନୁଯାୟୀ ଆବୁ ସାଲେମଙ୍କ ସଜା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଏହି ମାମଲାରେ ସର୍ବୋଚ୍ଚ ଅଦାଲତ ହସ୍ତକ୍ଷେପ କରିବେ ନାହିଁ ବୋଲି କୋର୍ଟ କହିଛନ୍ତି।
୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲା
ଉଲ୍ଲେଖଯୋଗ୍ୟ ଯେ, ୨୫୭ ଜଣଙ୍କ ପ୍ରାଣ ନେଇଥିବା ୧୯୯୩ ମୁମ୍ବାଇ ସିରିଏଲ୍ ବ୍ଲାଷ୍ଟ ମାମଲାରେ ସଲେମଙ୍କୁ ଆଜୀବନ କାରାଦଣ୍ଡ କରାଯାଇଛି। ପୂର୍ବରୁ ମଧ୍ୟ ସେ ନିଜର ମୁକ୍ତି ପାଇଁ ବାରମ୍ବାର ଆଇନଗତ ଲଢ଼େଇ ଜାରି ରଖିଥିବାବେଳେ କୋର୍ଟ ତାଙ୍କୁ କୌଣସି ପ୍ରକାର ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି।