ନୂଆଦିଲ୍ଲୀ: 'କକ୍ରୋଚ୍ ଜନତା ପାର୍ଟି'ର ଆନ୍ଦୋଳନରେ ସାମିଲ ହୋଇଥିବା ଦ୍ୱିତୀୟ ବର୍ଷର ଆଇନ ଛାତ୍ରଙ୍କୁ ଗ୍ରେଟର ନୋଏଡାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ନୋଟିସ୍ ପଠାଇବାକୁ ନେଇ ସୁପ୍ରିମକୋର୍ଟଙ୍କୁ ଭର୍ସନାର ସାମ୍ନା କରିବାକୁ ପଡ଼ିଛି । ମାଜିଷ୍ଟ୍ରେଟ୍ ନୋଟିସ ପ୍ରତ୍ୟାହାର କରିବା ସତ୍ତ୍ୱେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।
ସେପ୍ଟେମ୍ବର ୧ ତାରିଖରେ ସୁପ୍ରିମକୋର୍ଟ ନିଜେ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନର ସମସ୍ତ ମାମଲା ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ପରେ ସେପ୍ଟେମ୍ବର ୪ ତାରିଖରେ ଗ୍ରେଟର୍ ନୋଏଡାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଜଣେ ଆଇନ ଛାତ୍ରଙ୍କୁ ନୋଟିସ୍ ଜାରି କରିଥିଲେ । ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ବିଶ୍ୱଜିତ ଭଟ୍ଟାଚାର୍ଯ୍ୟ ଏହି ମାମଲାକୁ ମୌଖିକ ଭାବରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷ କରିଥିଲେ । ଏହି ନୋଟିସକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର କରାଯାଇଥିଲା । ପରେ ଚାପ ପଡ଼ିବାରୁ ମାଜିଷ୍ଟ୍ରେଟ ନୋଟିସ୍ ପ୍ରତ୍ୟାହାର କରିଥିଲେ । ଏହା ଅଦାଲତର ଅବମାନନା ସହିତ ସମାନ। ନୋଏଡା ଏବଂ ୟୁପିର ଅଧିକାରୀମାନେ ଛାତ୍ରମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିପାରିବେ ନାହିଁ ବୋଲି ଭଟ୍ଟାଚାର୍ଯ୍ୟ କହିଥିଲେ ।
ଆଜିର ଶୁଣାଣିରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଜଣେ ମାଜିଷ୍ଟ୍ରେଟ୍ ଏପରି ନୋଟିସ୍ ଜାରି କରିବାକୁ କିପରି ସାହସ କରିପାରିବେ ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଥିଲେ ଯେ କୌଣସି ଛାତ୍ରଙ୍କ ବିରୁଦ୍ଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। କୌଣସି ମାଜିଷ୍ଟ୍ରେଟ୍ ସେହି ନିର୍ଦ୍ଦେଶକୁ ଉଲ୍ଲଂଘନ କରିପାରିବେ ନାହିଁ ବୋଲି ସିଜେଆଇ କହିଛନ୍ତି । ପ୍ରଧାନ ବିଚାରପତି ଏକ ଆବେଦନ ମାଧ୍ୟମରେ ନୋଟିସକୁ ରେକର୍ଡରେ ରଖିବାକୁ କହିଛନ୍ତି । ଏହା ସହିତ ସମ୍ପୃକ୍ତ ଅଧିକାରୀଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ାଯିବ ।
ଗ୍ରେଟର ନୋଏଡାର ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ବିଏନ୍ଏସ୍ଏସ୍ ଧାରା ୧୨୬/୧୩୫ ଅନୁଯାୟୀ ଅକ୍ଷତ ତ୍ରିପାଠିଙ୍କୁ ଏକ ନୋଟିସ ଜାରି କରିଥିଲେ। ପୋଲିସ ରିପୋର୍ଟ ଆଧାରରେ ନୋଟିସ୍ ଜାରି ହୋଇଥିଲା । ସିଜେପି ଆନ୍ଦୋଳନରେ ଅନ୍ୟ ଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଉସୁକାଉଥିବା ଅଭିଯୋଗ କରାଯାଇଥିଲା। ସେ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କ ମଧ୍ୟରେ ସରକାର ବିରୋଧୀ ଏବଂ ଭ୍ରାମକ ସୂଚନା ପ୍ରସାର କରୁଛନ୍ତି, ସେମାନଙ୍କୁ ଉସୁକାଉଛନ୍ତି ଏବଂ ସିଜେପି ଦ୍ୱାରା ଆୟୋଜିତ ପ୍ରସ୍ତାବିତ ଧାରଣା ପ୍ରତିବାଦରେ ଯୋଗଦେବାକୁ ଉତ୍ସାହିତ କରୁଥିବା ଅଭିଯୋଗ ଥିଲା ।