ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ମୁମ୍ବାଇ ଗସ୍ତ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋଭାଯାତ୍ରା ପୂର୍ବରୁ ପୋଲିସ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି । ସେମାନଙ୍କ ନିକଟରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ନକଲି ପରିଚୟ ପତ୍ର ଏବଂ ବନ୍ଧୁକ ଜବତ କରାଯାଇଛି ।
ପୋଲିସ ମୁମ୍ବାଇ ବିକେସିର ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ନିକଟରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଧରିଛି । ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ ନକଲି ପିଏମଓ ପରିଚୟପତ୍ର ଉଦ୍ଧାର କରାଯାଇଥିବାବେଳେ ତାଙ୍କ ସହଯୋଗୀଙ୍କଠାରୁ ଏକ ବନ୍ଧୁକ ଜବତ କରାଯାଇଛି। ୨୪ ବର୍ଷୀୟ ସନ୍ଦିଗ୍ଧ ଯୁବକ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ବୋଲି କହି ପରିସର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ବନ୍ଧୁକ ସହିତ ଧରା ପଡ଼ିଥିବା ଅନ୍ୟ ଜଣେ ସନ୍ଦିଗ୍ଧ ବ୍ୟକ୍ତି ତାଙ୍କର ଜଣେ ଅଙ୍ଗରକ୍ଷୀ ବୋଲି ପରିଚୟ ଦେଇଥିଲେ । ମୁମ୍ବାଇ ପୋଲିସ ଏବଂ କ୍ରାଇମବ୍ରାଞ୍ଚର ଟିମ ଉଭୟଙ୍କୁ ହେପାଜତକୁ ନେଇ ଅଧିକ ପଚରାଉଚରା କରୁଛନ୍ତି ।
ଉଭୟ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଆସିଥିଲେ, ସେମାନେ ପରିଚୟ ଲୁଚାଇବାର କାରଣ କଣ ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଛି ।