ନୋଏଡା: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହତା (୭୪)ନୋଏଡାସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଗତ ସେପ୍ଟେମ୍ବର ୬ ତାରିଖରେ ନୋଏଡା ସେକ୍ଟର ୮୨ ସ୍ଥିତ ତାଙ୍କ ଫ୍ଲାଟରୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ରାକେଶ ମେହତା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ତିନି ବର୍ଷରୁ ଅଧିକ ସମୟ ଧରି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ। ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିବା ବେଳେ ମାନସିକ ଅବସାଦ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଏପରି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ଦିଲ୍ଲୀର ବିକାଶରେ ରହିଥିଲା ପ୍ରମୁଖ ଅବଦାନ
୧୯୭୫ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ରାକେଶ ମେହତା ଦିଲ୍ଲୀ ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ। ସେ ଦିଲ୍ଲୀ ନଗର ନିଗମ (MCDର କମିଶନର ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୨୦୦୭ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ୨୦୧୦ ନଭେମ୍ବରରେ ସେ ଅବସର ନେଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨୦୧୦ ଦିଲ୍ଲୀ କମନୱେଲ୍ଟ ଗେମ୍ସ, ଦିଲ୍ଲୀରେ ବିଦ୍ୟୁତ ଘରୋଇକରଣ, ପୁରୁଣା ବ୍ଲୁ-ଲାଇନ୍ ବସ୍ ବଦଳରେ ଲୋ-ଫ୍ଲୋର୍ ବସ୍ ପ୍ରଚଳନ ଏବଂ ପରିବହନ ବ୍ୟବସ୍ଥାରେ ସଂସ୍କାର ଆଣିବାରେ ତାଙ୍କର ଏକ ବଡ଼ ଭୂମିକା ଥିଲା। ଗତ ସୋମବାର ଲୋଧୀ ରୋଡ୍ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ଫ୍ଲାଟର କବାଟ ଭିତରୁ ବନ୍ଦ ଥିଲା
ପୁଲିସକୁ ଡାଏଲ୍-୧୧୨ ଜରିଆରେ ଏହି ଅଘଟଣ ସମ୍ପର୍କରେ ଖବର ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚି ଫେସ୍-୨ ଥାନା ପୁଲିସ ଭିତରୁ ବନ୍ଦ ଥିବା ଫ୍ଲାଟର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା ଏବଂ ମୃତଦେହ ଜବତ କରିଥିଲା। ଘଟଣା ସମୟରେ ତାଙ୍କ ପତ୍ନୀ ସୁମନ୍ତୀ ମେହତା ଡେରାଡୁନ ନିଜ ପୁଅଙ୍କୁ ଭେଟିବାକୁ ଯାଇଥିଲେ। ପତ୍ନୀ ବାରମ୍ବାର ଫୋନ୍ କରିବାରୁ ସେ କୌଣସି ଉତ୍ତର ନ ଦେବାରୁ ସନ୍ଦେହ ହୋଇଥିଲା ଏବଂ ପରେ ପୁଲିସକୁ ଖବର ଦିଆଯାଇଥିଲା। ବର୍ତ୍ତମାନ ପୁଲିସ ଘରୁ ମିଳିଥିବା ସୁଇସାଇଡ୍ ନୋଟ୍ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ମୃତ୍ୟୁର ପ୍ରକୃତ କାରଣ ଖୋଜୁଛି।