ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ଯୋଗୁଁ ଦିଲ୍ଲୀ ହାଇକୋର୍ଟ ଏବଂ ନିମ୍ନ ଅଦାଲତଗୁଡ଼ିକ ଆସନ୍ତା ଶୁକ୍ରବାର ଦିନ ବନ୍ଦ ରହିବ । ହାଇକୋର୍ଟ ପ୍ରଶାସନ ଦ୍ୱାରା ଜାରି ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଦିଲ୍ଲୀ ହାଇକୋର୍ଟ ଏବଂ ଦିଲ୍ଲୀର କ୍ଷେତ୍ରାଧିକାର ଅଧୀନରେ ଥିବା ସମସ୍ତ ଜିଲ୍ଲା କୋର୍ଟ (ଟ୍ରାଏଲ୍ କୋର୍ଟ) ସେପ୍ଟେମ୍ବର ୧୧ରେ ବନ୍ଦ ରହିବ ।
ଟ୍ରାଏଲ୍ କୋର୍ଟ ତିନି ଦିନ ବନ୍ଦ ରହିବ । ବ୍ରିକ୍ସ ସମ୍ମିଳନୀ ଯୋଗୁଁ ଟ୍ରାଏଲ୍ କୋର୍ଟଗୁଡ଼ିକ ଶନିବାର ରେ ମଧ୍ୟ ବନ୍ଦ ରହିବ । ଏହାର ପରଦିନ ରହିବାର ପଡ଼ୁଥିବାରୁ ସେଦିନ ମଧ୍ୟ ବନ୍ଦ ରହିବ । ଫଳରେ ମୋଟ ତିନି ଦିନ ଟ୍ରାଏଲ୍ କୋର୍ଟଗୁଡ଼ିକ ବନ୍ଦ ରହିବ । ବ୍ରିକ୍ସ ସମ୍ମିଳନୀ ସମୟରେ ବିଶ୍ୱ ନେତାଙ୍କ ଆଗମନ, ସୁରକ୍ଷା ବ୍ୟବସ୍ଥା ଏବଂ ସହରରେ ଟ୍ରାଫିକ୍ କଟକଣାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ସାଧାରଣ ଜନତା ଏବଂ କୋର୍ଟ କର୍ମଚାରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।
ଉଲ୍ଲେଖ ଯୋଗ୍ୟ, ସେପ୍ଟେମ୍ବର ୧୨-୧୩ ତାରିଖରେ ଦୁଇ ଦିନ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ଶିଖର ସମ୍ମିଳନୀରେ ବ୍ରିକ୍ସର ସଦସ୍ୟ ଓ ସହଯୋଗୀ ଦେଶଗୁଡ଼ିକର ନେତାଙ୍କ ସମେତ ସ୍ୱତନ୍ତ୍ର ଭାବେ ଆମନ୍ତ୍ରିତ ଅତିଥିମାନେ ମଧ୍ୟ ଭାଗ ନେବେ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାର ମୂଳ ବିଷୟବସ୍ତୁ (ଥିମ୍) ହେଉଛି 'ନମନୀୟତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ନିର୍ମାଣ' । ବ୍ରିକ୍ସର ରଣନୈତିକ ସହଭାଗିତାକୁ ତିନୋଟି ମୁଖ୍ୟ ସ୍ତମ୍ଭ—ରାଜନୈତିକ ଓ ସୁରକ୍ଷା, ଆର୍ଥିକ ଓ ଆର୍ଥିକ କାରବାର, ଏବଂ ସାଂସ୍କୃତିକ ଓ ଜନସମ୍ପର୍କ—ଉପରେ ମଜବୁତ୍ କରିବା ପାଇଁ ଭାରତର ୨୫ରୁ ଅଧିକ ସହରରେ ୩୫୦ରୁ ଅଧିକ ବୈଠକ ଓ ଉଚ୍ଚସ୍ତରୀୟ ଆଲୋଚନା ଆୟୋଜିତ ହୋଇସାରିଛି।