ମୁମ୍ବାଇ: ଦୁଇ ଦୁଇ ଥର ରୋମାଞ୍ଚପୂର୍ଣ୍ଣ କାହାଣୀ ନେଇ ଦର୍ଶକଙ୍କ ମନୋରଞ୍ଜନ କରିଥିବା ଦୃଶ୍ୟମ ସିନେମାରେ ତୃତୀୟ ସଂସ୍କରଣ ଖୁବଶୀଘ୍ର ଆସିବାକୁ ଯାଉଛି । ବୁଧବାର ଦୃଶ୍ୟମ୍-୩ ବା “ଦୃଶ୍ୟମ୍-ଦ କନକ୍ଲୁଜନ୍” ଟ୍ରେଲର୍ ମୁକ୍ତିଲାଭ କରିଛି । ଯାହା ଦୃଶ୍ୟମ୍ ସିନେମାର ଶେଷ ଭାଗ ବୋଲି କୁହାଯାଉଛି ।
ପ୍ରତିଥର ପୋଲିସ ଆଖିରେ ଧୂଳି ଦେଇ ନିଜ ପରିବାରକୁ ବଞ୍ଚାଉଥିବା ବିଜୟ ସଲଙ୍ଗାବକର ଏଥର ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି । ଏଥର ମୃତ ପୁଅ ସାମ୍ କୁ ନ୍ୟାୟ ଦେବାକୁ ନୁହେଁ ବରଂ ପୁଅ ମୃତ୍ୟୁର ପ୍ରତିଶୋଧ ନେବାକୁ ମାଆ ନିଷ୍ପତ୍ତି ନେଇଛି । ଏଥର ଭାଗ୍ୟ ହିଁ ବିଜୟକୁ ବଞ୍ଚାଇପାରେ ବୋଲି ଟ୍ରେଲରରୁ ଜଣାପଡ଼ୁଛି ।
ସିନେମାରେ ଏଥିରେ ଅଜୟ ଦେବଗନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଏହା ସହିତ ତବୁ, ଶ୍ରୀୟା ସରନ, ଜୟଦ୍ୱୀପ ଆହ୍ଲାୱତ, ପ୍ରକାଶ ରାଜ, ଇଶିତା ଦତ୍ତ, ରଜତ କପୁର ପ୍ରମୁଖ ନଜର ଆସିବେ । ନିର୍ଦ୍ଦେଶକ ଅଭିଷେକ ପାଠକ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି । ଆସନ୍ତା ଅକ୍ଟୋବର 2 ତାରିଖରେ ଦୃଶ୍ୟମ୍ ସିନେମା ଘରକୁ ଆସିବାର ସମ୍ଭାବନା ରହିଛି ।