ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତଦନ୍ତ କରିବ । ବମ୍ବେ ହାଇକୋର୍ଟ ଏବେ ଏହି ହାଇ-ପ୍ରୋଫାଇଲ୍ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଶାଙ୍କ ବାପା ସତୀଶ ସାଲିଆନଙ୍କ ଦ୍ୱାରା ଦାୟର ଏକ ଆବେଦନରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ବମ୍ବେ ହାଇକୋର୍ଟ ବିଚାରପତି ସାରଙ୍ଗ କୋଟୱାଲ ଏବଂ ବିଚାରପତି ରଣଜିତ ସିଂହ ରାଜା ଭୋସଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ସିବିଆଇକୁ ତୁରନ୍ତ ଏହି ମାମଲାରେ ଏକ ଏଫଆଇଆର୍ ପଞ୍ଜିକରଣ କରିବାକୁ ଏବଂ ମୃତକଙ୍କ ପିତା ସତୀଶ ସାଲିଆନଙ୍କ ବୟାନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ସହିତ ଜଡିତ ସମସ୍ତ କାଗଜପତ୍ର ଏବଂ ଦସ୍ତାବିଜ ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଠୋସ୍ ପ୍ରମାଣ କିମ୍ବା ସାମଗ୍ରୀ ନମିଳିବା ପର୍ଯ୍ୟନ୍ତ ତାଙ୍କୁ ଅଭିଯୁକ୍ତ ବୋଲି ବିବେଚନା କରାଯିବ ନାହିଁ ବୋଲି ମାନ୍ୟବର ଅଦାଲତ ସ୍ପଷ୍ଟ କରିଛନ୍ତି ।
ପ୍ରକାଶ ଯୋଗ୍ୟ, ଜୁନ୍ ୮, ୨୦୨୦ରେ ଦିଶା ସାଲିଆନଙ୍କ ମୃତ୍ୟୁ ହୋଇଥିଲା । ମୁମ୍ବାଇର ମଲାଡ୍ ଅଞ୍ଚଳର ଏକ କୋଠାର ୧୪ ମହଲାରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ମୁମ୍ବାଇ ପୋଲିସ ପ୍ରଥମେ ଏହାକୁ ଏକ ଦୁର୍ଘଟଣାଜନିତ ମାମଲା ଏବଂ ପରେ ଆତ୍ମହତ୍ୟା ରିପୋର୍ଟ ଦେଇଥିଲା । କିନ୍ତୁ ଦିଶାଙ୍କ ବାପା ଝିଅକୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଥିଲେ । ସେ ତାଙ୍କ ଆବେଦନରେ ଶିବସେନା (UBT) ନେତା ଆଦିତ୍ୟ ଠାକରେଙ୍କ ବିରୁଦ୍ଧରେ ଏତଲା ପଞ୍ଜିକରଣ କରିବାକୁ ଦାବି କରିଥିଲେ।