ଭୁବନେଶ୍ୱର: ବଙ୍ଗୀୟ ଗାୟକ ସୌରିନ ଭଟ୍ଟଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯାତନା ଦେବା ମାମଲାରେ ଓଡ଼ିଶା ହାଇକୋର୍ଟ ସୌରିନଙ୍କ ଅନ୍ତରୀଣ ସୁରକ୍ଷାକୁ ପ୍ରତ୍ୟାହାର କରିଛନ୍ତି । ଫଳରେ ସୌରିନଙ୍କ ପାଇଁ ଗିରଫଦାରୀ ଭୟ ବଢ଼ିଛି ।
ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯ୍ୟାତନା ଦେବା ଏବଂ ଲକ୍ଷାଧିକ ଟଙ୍କା ଠକି ନେଇଯିବା ଅଭିଯୋଗରେ କଟକ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ସୌରିନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ହାଇକୋର୍ଟଙ୍କ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ମାତ୍ର ସୌରିନଙ୍କୁ ବାରମ୍ବାର ପୋଲିସ ନୋଟିସ୍ ଜାରି କରିବା ସତ୍ତ୍ୱେ ସେ ହାଜର ହୋଇନଥିଲେ । ଏପରିକି ପଶ୍ଚିମବଙ୍ଗରେ ତାଙ୍କ ବାସଭବନରେ ନୋଟିସ୍ କରାଯାଇଥିଲା । ଦୀର୍ଘ ଦିନ ପରେ ସେ କଟକ ମହିଳା ଥାନାରେ ହାଜର ହୋଇନଥିଲେ । ଏହା ପରେ ହାଇକୋର୍ଟ ତାଙ୍କ ଅନ୍ତରୀଣ ଜାମିନ ସୁରକ୍ଷାକୁ ପ୍ରତ୍ୟାହାର କରିନେଇଛନ୍ତି । ଯଦ୍ୱାରା ସୌରିନଙ୍କ ଗିରଫଦାରୀ ସମ୍ଭାବନା ବଢ଼ି ଯାଇଛି ।
ଉଲ୍ଲେଖ ଯୋଗ୍ୟ, ୨୦୨୩ରେ ଜଣେ ମହିଳା ବ୍ୟାଙ୍କ କର୍ମଚାରୀ ସୌରିନଙ୍କ ବିରୁଦ୍ଧରେ ଶାରିରୀକ ନିର୍ଯ୍ୟାତନା ଏବଂ ୯ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଥିଲେ । ମହିଳା ଜଣକ ମଧ୍ୟ ଗୀତ ଗାଆନ୍ତି । ଏକ କାର୍ଯ୍ୟକ୍ରମରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା ଏବଂ ପରେ ଘନିଷ୍ଠତା ବଢ଼ିଥିଲା । ପରେ ବିବାହ ପର୍ଯ୍ୟନ୍ତ କଥା ଯାଇଥିବା ସମ୍ପୃକ୍ତ ଯୁବତୀ ଅଭିଯୋଗ କରିଥିଲେ ।
ଏହି ମାମଲାରେ କଟକ ଏସଡିଜେଏମ୍ କୋର୍ଟ ୨୦୨୩ ନଭେମ୍ବର ୨୩ ତାରିଖରେ ସୌରିନ୍ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ପରେ ଏହାକୁ ଚ୍ୟାଲେଞ୍ଜ କରି ସୌରିନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଏନବିଡବ୍ଲ୍ୟୁ ଉପରେ ସ୍ଥଗିତାଦେଶ ପାଇଥିଲେ।
ତେବେ ଗତ ୨୦ ତାରିଖ ପୂର୍ବରୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ ବୋଲି ତାଙ୍କ ଆଇନଜୀବୀ ହାଇକୋର୍ଟରେ ଆଶ୍ୱାସନ ଦେଇଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟରେ ସୌରିନ୍ ଅଦାଲତରେ ହାଜର ହୋଇନଥିଲେ। ଏହାକୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ପୂର୍ବରୁ ଦିଆଯାଇଥିବା ସୁରକ୍ଷା ହଟାଇ ଦେଇଛନ୍ତି।
ଅନ୍ୟପଟେ, ମାମଲାର ତଦନ୍ତ ସମ୍ପର୍କରେ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି ଯେ, କଟକ ମହିଳା ଥାନା କେସ୍ ନମ୍ବର ୨୮ର ତଦନ୍ତ ଶେଷ ହୋଇଛି। ପୋଲିସ ନିକଟରେ ଥିବା ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଏସଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇସାରିଛି। ସେହିପରି ସୌରିନ୍ଙ୍କ ବିରୋଧରେ ଜାରି ଏନବିଡବ୍ଲ୍ୟୁ ୱାରେଣ୍ଟକୁ କୋଲକାତାର ବାଲିଗଞ୍ଜ ଥାନାକୁ ପଠାଯାଇଥିବା ବେଳେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସୌରିନ୍ ଆତ୍ମସମର୍ପଣ କରିନଥିବା ପୋଲିସ କହିଛି। ଏବେ ଏସଡିଜେଏମ୍ କୋର୍ଟର ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ବାଲିଗଞ୍ଜ ପୋଲିସର ସହଯୋଗରେ ଆଗାମୀ ଆଇନଗତ ପଦକ୍ଷେପ ନିଆଯିବ।