ବଲିଉଡ୍ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଚାଲିଥିଲା ଯେ ଦୁହିଁଙ୍କ ସମ୍ପର୍କରେ ସବୁକିଛି ଠିକ୍ ଚାଲିନାହିଁ ଏବଂ ଦୁହେଁ ଛାଡ଼ପତ୍ର ନେଇପାରନ୍ତି। ଆଜି ଅର୍ଥାତ୍ ଅଗଷ୍ଟ ୧୯ ସକାଳେ ସୁନୀତା ଫ୍ୟାମିଲି କୋର୍ଟରୁ ବାହାରକୁ ଆସୁଥିବାର ଦେଖାଯାଇଥିଲେ, ଯାହା ପରେ ଛାଡ଼ପତ୍ର ଚର୍ଚ୍ଚା ଆହୁରି ଜୋର ଧରିଥିଲା। ତେବେ ବର୍ତ୍ତମାନ ଖବର ଆସିଛି ଯେ ଗୋବିନ୍ଦା ଏବଂ ସୁନୀତାଙ୍କର ଛାଡ଼ପତ୍ର ହେଉନାହିଁ। ସୁନୀତା ଛାଡ଼ପତ୍ର ଆବେଦନ ଫେରାଇ ନେଇଛନ୍ତି। ଏହାକୁ ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ସ୍ପଷ୍ଟ କରିଛନ୍ତି।
ସୁନୀତାଙ୍କୁ ଫ୍ୟାମିଲି କୋର୍ଟ ବାହାରେ ଦେଖିବା ମାତ୍ରେ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ଦୁହେଁ କ'ଣ ଛାଡ଼ପତ୍ର ନେଉଛନ୍ତି? କିନ୍ତୁ ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ନିଶ୍ଚିତ କରିଛନ୍ତି ଯେ ସୁନୀତା ଆହୁଜା ଗୋବିନ୍ଦାଙ୍କ ବିରୋଧରେ ଦାୟର କରିଥିବା ଛାଡ଼ପତ୍ର ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ଛାଡ଼ପତ୍ର ଆବେଦନ ପୂର୍ବରୁ ଦାୟର କରାଯାଇଥିଲା। ଆଜି ସେ ସେହି ଛାଡ଼ପତ୍ର ଆବେଦନକୁ ଫେରାଇ ନେବା ପାଇଁ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ।
ଗୋବିନ୍ଦା-ସୁନୀତାଙ୍କ ମଧ୍ୟରେ ସବୁକିଛି ଠିକ୍
ଗୋବିନ୍ଦାଙ୍କ ମ୍ୟାନେଜରଙ୍କ କହିବା ଅନୁଯାୟୀ, ଏବେ ଦୁହିଁଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନାହିଁ ଏବଂ ପରିବାର ଏହି କଠିନ ସମୟକୁ ପଛରେ ଛାଡ଼ି ଆଗକୁ ବଢ଼ିସାରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପାରିବାରିକ ମାମଲା ସାର୍ବଜନୀନ ହେବା ଉଚିତ୍ ନଥିଲା। ୨୦୨୫ରେ ମଧ୍ୟ ଗୋବିନ୍ଦାଙ୍କ ଓକିଲ କହିଥିଲେ ଯେ ଦୁହେଁ ନିଜ ନିଜ ମଧ୍ୟରେ ଥିବା ମତଭେଦ ସମାଧାନ କରିନେଇଛନ୍ତି, ତେଣୁ ଏହି ପୂରା ଘଟଣାକ୍ରମ ବେଶ୍ ଆବେଗପୂର୍ଣ୍ଣ ରହିଥିଲା। ଅର୍ଥାତ୍ ଏବେ ସ୍ପଷ୍ଟ ହୋଇଯାଇଛି ଯେ ଗୋବିନ୍ଦା ଏବଂ ସୁନୀତାଙ୍କ ମଧ୍ୟରେ ସବୁକିଛି ସମ୍ପୂର୍ଣ୍ଣ ଠିକ୍ ଅଛି। ଏବେ ଦୁହେଁ ଛାଡ଼ପତ୍ର ନେଉନାହାଁନ୍ତି।
ସୂଚନାଯୋଗ୍ୟ ଯେ, ଫ୍ୟାମିଲି କୋର୍ଟ ବାହାରୁ ସୁନୀତାଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ସେ ନିଜ ପୁଅ ଯଶବର୍ଦ୍ଧନ ଆହୁଜାଙ୍କ ସହ କୋର୍ଟରେ ପହଞ୍ଚିଥିଲେ। ସାଧାରଣତଃ ସୁନୀତା ସବୁବେଳେ ପାପାରାଜି (ମିଡିଆ) ସହ ଖୋଲାଖୋଲି କଥା ହେଉଥିବାର ଦେଖାଯାଆନ୍ତି, କିନ୍ତୁ ଏଥର ସେ କୋର୍ଟରୁ ବାହାରି ସିଧା ନିଜ ଗାଡ଼ି ଆଡ଼କୁ ଚାଲିଯାଇଥିଲେ। ଯଶବର୍ଦ୍ଧନ ମଧ୍ୟ ମିଡିଆକୁ ଫଟୋ ଓ ଭିଡିଓ ନନେବାକୁ ଅନୁରୋଧ କରିଥିଲେ। ତେବେ ମିଡିଆ କ୍ୟାମେରା ନଅଟକିବାରୁ ସୁନୀତା ଆକ୍ଷେପ କରି କହିଥିଲେ ଯେ, "ମୁଁ କୋର୍ଟକୁ ଜନ୍ମଦିନ ପାଳିବାକୁ ଆସିଥିଲି।"