ମୟୂରଭଞ୍ଜ : ଚକୋଲେଟ୍ ରେ ନିଶା ଖୁଆଇ ୩ ଛାତ୍ରୀଙ୍କୁ ଅପହରଣ ପାଇଁ ଉଦ୍ୟମ । ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏପରି ଏକ ଚାଞ୍ଚଲ୍ୟକର ଖବର। ତିରିଂ ଥାନା ଅଞ୍ଚଳର ଏକ ସ୍କୁଲ ପରିସରରୁ ତିନି ଜଣ ପ୍ରାଥମିକ ସ୍କୁଲ ଛାତ୍ରୀଙ୍କୁ ନିଶା ଚକୋଲେଟ ଦେଇ ଅପହରଣ ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ବିଦ୍ୟାଳୟ ପରିସରରେ ପିଲାମାନେ ଖେଳୁଥିବା ସମୟରେ ଏକ ସ୍କୁଟିରେ ତିନି ଜଣ ଯୁବକ ଆସି ପହଞ୍ଚିଥିଲେ । ସେମାନେ ବଳପୂର୍ବକ ତିନି ଜଣ ଛାତ୍ରୀଙ୍କୁ ଚକୋଲେଟ୍ ଖୁଆଇବାକୁ ଚେଷ୍ଟା କରିଥିଲେ । ଛାତ୍ରୀମାନେ ଏହାକୁ ଖାଇବାକୁ ମନା କରିବାରୁ, ଦୁର୍ବୃତ୍ତ ମାନେ ସେମାନଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ତେବେ ଚକୋଲେଟ ଖାଇବା ପରେ ତିନି ଜଣଯାକ ଛାତ୍ରୀ ଅଚେତ ହୋଇ ପଡ଼ିଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହାୟତାରେ ଛାତ୍ରୀଙ୍କୁ ତୁରନ୍ତ ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସା ବେଳେ ଜଣାପଡିଥିଲା ଯେ ଛାତ୍ରୀ ମାନେ ଖାଇଥିବା ଚକୋଲେଟ୍ ନିଶା ଯୁକ୍ତ ଅଟେ।
ଏହି ଘଟଣାକୁ ନେଇ ତିରିଂ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଫେରାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ ଚଳାଇଛି।