ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳ ବିକାଶ ଓ ନଗର ଯାତାୟାତ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ସରକାର ନେଇଛି ବଡ଼ ପଦକ୍ଷେପ। ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷ କରିବା, ସହରୀ ଯାତାୟାତକୁ ସୁଗମ କରିବା ଓ ଲୋକଙ୍କୁ ଦୃଶ୍ୟମାନ ସୁବିଧା ଦେବା ଉପରେ ସରକାର ଗୁରୁତ୍ୱ ଦେଇଛି।
ଖାରବେଳ ଭବନରେ ଆବାସ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନଗର ଉନ୍ନୟନ ଓ ଅର୍ବାନ୍ ମୋବିଲିଟି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ବିଭିନ୍ନ ଚାଲୁ ପ୍ରକଳ୍ପର ଅଗ୍ରଗତି ସହ ଅର୍ଥର ସମୟୋଚିତ ବ୍ୟବହାର ନେଇ ସମୀକ୍ଷା କରାଯାଇଥିଲା।
‘ଓଡ଼ିଶା ଯାତ୍ରୀ’ ହେବ ଆହୁରି ବ୍ୟାପକ
ସହରୀ ଯାତାୟାତ ବ୍ୟବସ୍ଥାକୁ ନେଇ ମନ୍ତ୍ରୀ ‘ଓଡ଼ିଶା ଯାତ୍ରୀ’ ପଦକ୍ଷେପକୁ ରାଜ୍ୟର ଅନ୍ୟ ସହରଗୁଡ଼ିକରେ ବିସ୍ତାର କରିବା ଉପରେ ଜୋର ଦେଇଛନ୍ତି। ଯାତ୍ରୀଙ୍କୁ ଭରସାଯୋଗ୍ୟ ଯାତାୟାତ ସୁବିଧା ଦେବା ସହ ଡ୍ରାଇଭରମାନଙ୍କ ଜୀବିକାକୁ ସହାୟତା କରିବା ଏହାର ଲକ୍ଷ୍ୟ ବୋଲି କୁହାଯାଇଛି।
EWS, LIG, MIG ପାଇଁ ସୁଲଭ ଘର
ବୈଠକରେ ଆର୍ଥିକ ଦୁର୍ବଳ ଶ୍ରେଣୀ (EWS), ନିମ୍ନ ଆୟ ବର୍ଗ (LIG) ଓ ମଧ୍ୟମ ଆୟ ବର୍ଗ (MIG) ପାଇଁ ସୁଲଭ ଆବାସ ବ୍ୟବସ୍ଥା ବଢ଼ାଇବା ଉପରେ ମଧ୍ୟ ଆଲୋଚନା ହୋଇଛି। ଏହା ସହ ରେଣ୍ଟାଲ୍ ହାଉସିଂ ବା ଭଡ଼ା ଘର ବ୍ୟବସ୍ଥାର ବିକଳ୍ପ ଉପରେ ମଧ୍ୟ ସରକାର ବିଚାର କରୁଛି।
ମହାରାଷ୍ଟ୍ର ଗସ୍ତ ସମୟରେ ପ୍ରିକାଷ୍ଟ କନଷ୍ଟ୍ରକସନ୍ ଟେକ୍ନୋଲୋଜି ଓ ‘ମିଶନ୍ ୧୦୦’ ମଡେଲ୍ ଅଧ୍ୟୟନ କରିଥିବା କଥା ମନ୍ତ୍ରୀ କହିଥିଲେ। ଓଡ଼ିଶାରେ ମଧ୍ୟ ଏଭଳି ପ୍ରଯୁକ୍ତି ଆପଣାଇ ଦ୍ରୁତ ଓ ଗୁଣାତ୍ମକ ଆବାସ ନିର୍ମାଣ କରାଯାଇପାରିବ କି ନାହିଁ, ତାହା ଅନୁଧ୍ୟାନ କରାଯିବ।
ବର୍ଷାରେ ନଷ୍ଟ ରାସ୍ତା-ଡ୍ରେନେଜ୍ର ଶୀଘ୍ର ମରାମତି
ମୌସୁମୀ ବର୍ଷା ଯୋଗୁଁ ରାସ୍ତା ଓ ଡ୍ରେନେଜ୍ରେ ହୋଇଥିବା କ୍ଷୟକ୍ଷତି ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ନଷ୍ଟ ହୋଇଥିବା ରାସ୍ତାର ଶୀଘ୍ର ମରାମତି କରିବା ସହ ସମସ୍ତ Urban Local Bodies (ULBs) ପାଇଁ Storm Water Drainage Master Plan ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହ ବିଭିନ୍ନ ଜିଲ୍ଲାର Development Authoritiesକୁ ଆହୁରି ସୁଦୃଢ଼ କରିବା, ଯୋଜନାବଦ୍ଧ ଟାଉନ୍ ପ୍ଲାନିଂ ଓ ସମନ୍ୱିତ ସହରୀ ବିକାଶ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, DMA ଅରିନ୍ଦମ ଡାକୁଆ, CRUT ଅଧିକାରୀ ଓ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ।
ଲୋକଙ୍କ ଜୀବନକୁ ସହଜ କରିବା, ସୁରକ୍ଷିତ ଓ ସୁଦୃଢ଼ ସହର ଗଢ଼ିବା ଏବଂ ବିକାଶର ଲାଭ ସିଧାସଳଖ ନାଗରିକଙ୍କ ପାଖରେ ପହଞ୍ଚାଇବା, ଏହି ଲକ୍ଷ୍ୟରେ ଓଡ଼ିଶାର ସହରୀ ବିକାଶକୁ ଆଗେଇ ନେବାକୁ ସରକାର ଫୋକସ୍ କରିଛି।