ପୁରୀ: ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଅନନ୍ୟ ପରିଚୟ ରଘୁରାଜପୁର ଏବେ ପାଇବ ନୂଆ ରୂପ। ପୁରୀ ଜିଲ୍ଲାର ଏହି ପ୍ରସିଦ୍ଧ ହେରିଟେଜ୍ କ୍ରାଫ୍ଟସ୍ ଭିଲେଜ୍କୁ ବିଶ୍ୱସ୍ତରୀୟ ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ।
ରଘୁରାଜପୁରର ଭିତ୍ତିଭୂମି ଓ ପର୍ଯ୍ୟଟନ ସୁବିଧାର ବିକାଶ ପାଇଁ ୨୩ କୋଟି ଟଙ୍କା ବ୍ୟୟ କରାଯିବ। ମଙ୍ଗଳବାର ଏହି ବୃହତ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଏହି ପ୍ରକଳ୍ପ ଅଧୀନରେ ରଘୁରାଜପୁରରେ ମୌଳିକ ଭିତ୍ତିଭୂମିକୁ ମଜବୁତ କରାଯିବା ସହ ପର୍ଯ୍ୟଟକଙ୍କ ପାଇଁ ଆହୁରି ଉନ୍ନତ ସୁବିଧା ଉପଲବ୍ଧ କରାଯିବ। ସେହିପରି ସ୍ଥାନୀୟ କଳାକାର ଓ ହସ୍ତଶିଳ୍ପୀଙ୍କ ପାଇଁ ମଧ୍ୟ ଉନ୍ନତ ଭିତ୍ତିଭୂମି ଏବଂ ସୁଯୋଗ ସୃଷ୍ଟି କରାଯିବ।
ରଘୁରାଜପୁରର ପ୍ରସିଦ୍ଧ ପଟ୍ଟଚିତ୍ର, ଗୋଟିପୁଅ ନୃତ୍ୟ, କାଠ ଖୋଦେଇ ଓ ଟେରାକୋଟା କଳାକୁ ଦେଶ ଓ ବିଦେଶରେ ଆହୁରି ବ୍ୟାପକ ଭାବେ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ।
ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପ୍ରଭାତୀ ପରିଡ଼ା ରଘୁରାଜପୁରକୁ “ଓଡ଼ିଶାର କଳା ଓ ସଂସ୍କୃତିର ହୃଦୟ” ବୋଲି ବର୍ଣ୍ଣନା କରିଥିଲେ। ଏହି ପଦକ୍ଷେପ ରଘୁରାଜପୁରର ପର୍ଯ୍ୟଟନ ବିକାଶରେ ନୂଆ ଅଧ୍ୟାୟ ଆଣିବ ବୋଲି ସେ କହିଛନ୍ତି।
ସରକାରଙ୍କ ଲକ୍ଷ୍ୟ ହେଉଛି ରଘୁରାଜପୁରକୁ କେବଳ ଦେଶର ନୁହେଁ, ବରଂ ବିଶ୍ୱ ମାନଚିତ୍ରରେ ଏକ ପ୍ରମୁଖ ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ କରାଇବା। ଏହାଦ୍ୱାରା ପର୍ଯ୍ୟଟନ ବଢ଼ିବା ସହ ସ୍ଥାନୀୟ କଳାକାର ଓ ହସ୍ତଶିଳ୍ପୀଙ୍କ ଆୟ ଏବଂ ରୋଜଗାର ସୁଯୋଗ ମଧ୍ୟ ବଢ଼ିବ ବୋଲି ଆଶା କରାଯାଉଛି।
କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ସରୋଜ କୁମାର ପ୍ରଧାନଙ୍କ ସମେତ ସ୍ଥାନୀୟ ପ୍ରତିନିଧି, କଳାକାର ଓ ହସ୍ତଶିଳ୍ପୀମାନେ ଉପସ୍ଥିତ ଥିଲେ।