କଟକ: ଓଡ଼ିଶା ହାଇକୋର୍ଟ ପାଇଁ ଆସିଛି ବଡ଼ ଖବର। ହାଇକୋର୍ଟରେ ବିଚାରପତି ଭାବେ ୪ ଜଣ ଆଇନଜୀବୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ୍ ମଞ୍ଜୁରୀ ଦେଇଛି। ଅଗଷ୍ଟ ୧୮ରେ ଅନୁଷ୍ଠିତ କଲେଜିୟମ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
କଲେଜିୟମ୍ର ଅନୁମୋଦନ ପାଇଥିବା ୪ ଜଣ ଆଇନଜୀବୀ ହେଲେ ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରାଜ୍ଜୀତ ରୟ ଏବଂ ଗୌତମ ମିଶ୍ର।
ସୁପ୍ରିମକୋର୍ଟ ପକ୍ଷରୁ ଜାରି ଅଧିକାରିକ ବିବୃତ୍ତିରେ ଏହି ୪ ଜଣଙ୍କ ନାମକୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ କଲେଜିୟମ୍ ଅନୁମୋଦନ କରିଥିବା ସ୍ପଷ୍ଟ କରାଯାଇଛି।
ତେବେ କଲେଜିୟମ୍ର ଅନୁମୋଦନ ପରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟାର କିଛି ସାମ୍ବିଧାନିକ ଔପଚାରିକତା ବାକି ରହିଛି। ସେଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ ହିଁ ଏହି ୪ ଜଣଙ୍କ ନିଯୁକ୍ତି ଔପଚାରିକ ଭାବେ କାର୍ଯ୍ୟକାରୀ ହେବ।
ଓଡ଼ିଶା ହାଇକୋର୍ଟରେ ୪ ଜଣ ନୂଆ ବିଚାରପତିଙ୍କ ଯୋଗଦାନ ହେଲେ ବିଚାରାଧୀନ ମାମଲାର ଶୀଘ୍ର ଶୁଣାଣି ଓ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଆହୁରି ଗତିଶୀଳ ହେବ ବୋଲି ଆଶା କରାଯାଉଛି।