ଭଦ୍ରକ: ବର୍ତ୍ତମାନ ଉତ୍ତର ଓ ଉପକୂଳ ଓଡ଼ିଶା ବନ୍ୟା ଜଳରେ ଉବୁଡୁବୁ ହେଉଛି । ସୁବର୍ଣ୍ଣରେଖା, ବୈତରଣୀ, ସାଳନ୍ଦୀ ଓ ବ୍ରାହ୍ମଣୀ ଭଳି ପ୍ରମୁଖ ନଦୀରେ ବନ୍ୟା ଆସିବା ଦ୍ୱାରା ଲକ୍ଷାଧିକ ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି । ସେପଟେ ବିଭିନ୍ନ ନଦୀ ବନ୍ଧର ଘାଇ ପ୍ରଭାବିତ ଲୋକଙ୍କୁ ଆହୁରି ଡରାଉଛି ।
ଆଖୁଆପଦାଠାରେ ବୈତରଣୀ ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ସକାଳ ୬ ଟାରେ ୧୮.୬୫ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ସେହିପରି ରାଜଘାଟଠାରେ ସାଳନ୍ଦୀ ନଦୀର ଜଳ ବିପଦ ସଂକେତ ଉପରେ ରହିଛି । ସାଳନ୍ଦୀ ବିପଦ ସଙ୍କେତ ଟପି ୧୭.୧୦ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।
ସେହିପରି ସୁବର୍ଣ୍ଣରେଖା ନଦୀ ଜଳ ମଧ୍ୟ ବିପଦ ସଂକେତ ୧୦.୩୬ ମିଟରକୁ ଟପି ୧୦.୪୦ ମିଟରରେ ପ୍ରବାହିତ ହେଉଛି । ଏହା ଦ୍ୱାରା ଭୋଗରାଇର ୧୦ ଓ ବାଲିଆପାଳର ୧୦ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।
ସେପଟେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତଳଗୋପ ବିନ୍ଧା ପଞ୍ଚାୟତର ମାତଗଜ ପୁରଠାରେ ନାଳିଆ ନଦୀରେ ୩୦ ଫୁଟ ଘାଇ ସୃଷ୍ଟି ହୋଇଥିବା ଯୋଗୁଁ ୪ଟି ପଂଚାୟତରେ ବନ୍ୟା ଜଳ ମାଡ଼ି ଯାଇଛି । ଲୋକମାନେ ଗାଁ ଛାଡି ଏବେ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । ଘାଇ ଶୃଷ୍ଟି ହୋଇଥିବାରୁ ରାଜୁଆଳି- ତଳଗୋପ ବିନ୍ଧା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ମଙ୍ଗଳବାର ରାତିରେ ଟ୍ରାକ୍ଟର ଯୋଗେ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ତଳଗୋପ ବିନ୍ଧା ନାଳିଆ ନଦୀ ର ହୋଇଥିବା ଘାଇ ପାଖକୁ ଯାଇ ସ୍ତିତି ଅନୁଧ୍ୟାନ କରିଥିଲେ। ପରେ ସ୍କୁଲ ଘରେ ଥିବା ବନ୍ୟା ବିପନ୍ନ ମାନଙ୍କ ସହିତ ଆଲୋଚନା କରିଥିଲେ। ବନ୍ୟାଜଳ ଘେରରେ ଥିବା ଲୋକଙ୍କ ସହ ମନ୍ତ୍ରୀ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଛନ୍ତି । ବିପନ୍ନଙ୍କୁ ଠିକ୍ ଭାବେ ଶୁଖିଲା ଓ ରନ୍ଧା ଖାଦ୍ୟ ମିଳୁଛି କି ନାହିଁ, ସେନେଇ ମଧ୍ୟ ମନ୍ତ୍ରୀ ସ୍ଥାନୀୟ ଲୋକଙ୍କଠାରୁ ତଥ୍ୟ ନେଇଥିଲେ।
ପରେ ମନ୍ତ୍ରୀ ଧାମନଗର ଦୋବଲ ଗେଙ୍ଗୁଟି ନଦୀ ପୋଲ ନିକଟରେ ପହଞ୍ଚି ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ। ବନ୍ୟା ଜଳ ଘେରରେ ଥିବା ଲୋକଙ୍କ ସହ ମନ୍ତ୍ରୀ ଆଲୋଚନା କରି ସେମାନଙ୍କ ସମସ୍ୟା ଏବଂ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝି ଥିଲେ । ଆବଶ୍ୟକ ସହାୟତା ଯୋଗାଣ ଓ ରିଲିଫ୍ ବ୍ୟବସ୍ଥା ନେଇ ସେ ଗୁରୁତ୍ୱ ଦେଇଥିଲେ।
ବୈତରଣୀ ଓ ତାହାର ଶାଖା ଗେଙ୍ଗୁଟି ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଧାମନଗରର ବିଭିନ୍ନ ଅଞ୍ଚଳ ବନ୍ୟା ଘେରରେ ରହିଛନ୍ତି ଲୋକମାନେ କିପରି ସୁରକ୍ଷିତ ରହିବେ ସେ ଦିଗରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।
ସରକାରୀ ସୂଚନା ଅନୁସାରେ ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବନ୍ୟାସ୍ଥିତି ଉପୁଜିଛି । ଏହି ଜିଲ୍ଲା ଗୁଡ଼ିକର ୭୪ଟି ବ୍ଲକର ୧୩୮୧ଟି ଗାଁ’ର ୯.୪୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩.୭୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ୫୫୦ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ୬ ଟି ଜିଲ୍ଲାରେ ସମୁଦାୟ ୪୫ଟି ODRAF, ୮ଟି NDRF ଏବଂ ୬୫ଟି ଅଗ୍ନଶମ ସେବା ଦଳ ନିୟୋଜିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ୧୦୦୦ କୋଟି ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି । ସେହିପରି ବନ୍ୟା ପ୍ରଭାବିତ ଚାଷୀମାନଙ୍କ ପାଇଁ କୃଷି ଇନପୁଟ୍ ସବସିଡି ସହିତ ବିଭିନ୍ନ ପ୍ରକାରର ସହାୟତା ବ୍ୟବସ୍ଥା କରାଯାଇଛି ।