ଭୁବନେଶ୍ୱର: ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ବଡ଼ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ଏଣିକି Apprenticeship Embedded Degree Programmes (AEDPs) ଅଧୀନରେ ପ୍ରଦାନ କରାଯାଉଥିବା ଡିଗ୍ରୀକୁ ସମ୍ପୃକ୍ତ ପାରମ୍ପରିକ ସ୍ନାତକ ଡିଗ୍ରୀ ସହ ସମାନ ମାନ୍ୟତା ମିଳିବ। ଉଚ୍ଚଶିକ୍ଷା ପାଇଁ ଏହି ଡିଗ୍ରୀଗୁଡ଼ିକୁ BA, BCom ଓ BSc ଭଳି ପାରମ୍ପରିକ ସ୍ନାତକ ଡିଗ୍ରୀ ସହ ସମକକ୍ଷ ଭାବେ ବିବେଚନା କରାଯିବ।
ଅଗଷ୍ଟ ୧୮ରେ ଜାରି ଏକ ଚିଠିରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ଏନେଇ ନିର୍ଦ୍ଦେଶ ଦେଇଛି। ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଯୋଗ୍ୟତା ବଢ଼ାଇବା ଉଦ୍ଦେଶ୍ୟରେ AEDP ଆରମ୍ଭ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ନିଷ୍ପତ୍ତି UGCର ମାର୍ଚ୍ଚ ୨୦୨୫ର Apprenticeship Embedded Degree Programmes ସମ୍ପର୍କିତ ଗାଇଡଲାଇନ୍ ଆଧାରରେ ନିଆଯାଇଛି। UGC ନିର୍ଦ୍ଦେଶାବଳୀ ଅନୁଯାୟୀ, AEDP ଡିଗ୍ରୀକୁ ନିୟମିତ ସ୍ନାତକ ଡିଗ୍ରୀ ସହ ସମାନ ଭାବେ ବିଚାର କରାଯିବ।
ମାଷ୍ଟର୍ସ ଓ PhD ପଢ଼ିପାରିବେ ଛାତ୍ରଛାତ୍ରୀ
AEDP ଡିଗ୍ରୀଧାରୀ ଛାତ୍ରଛାତ୍ରୀ ଏଣିକି ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ନାହିଁ। UGC ନିୟମ ଅନୁଯାୟୀ, AEDP ସମ୍ପୂର୍ଣ୍ଣ କରିଥିବା ଛାତ୍ରଛାତ୍ରୀ ମାଷ୍ଟର୍ସ ଏବଂ PhD ପ୍ରୋଗ୍ରାମରେ ନାମ ଲେଖାଇପାରିବେ। ଏହାଦ୍ୱାରା AEDPରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଚ୍ଚଶିକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର ହେବ ବୋଲି ଆଶା କରାଯାଉଛି।
ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା
କେବଳ ଉଚ୍ଚଶିକ୍ଷା ନୁହେଁ, AEDP ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ନେଇ ମଧ୍ୟ ବିଭାଗ ପଦକ୍ଷେପ ନେଇଛି। ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକୁ AEDP ଛାତ୍ରଛାତ୍ରୀଙ୍କ ପାଇଁ Multidisciplinary Courses (MDC) ଓ Skill Enhancement Courses (SEC) ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ସହ ଜଡ଼ିତ ବିଷୟ ପଢ଼ିବାର ସୁଯୋଗ ଦେବାକୁ କୁହାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି AEDP ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ନିଯୁକ୍ତି ସୁଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।