ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ସେବା (OES) ଗ୍ରୁପ୍-B ପଦବୀରେ ନିଯୁକ୍ତି ପାଇଁ ଆସିଲା ନୂଆ ପରୀକ୍ଷା ବ୍ୟବସ୍ଥା। ମଙ୍ଗଳବାର ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ OES Group-B ପାଇଁ ପରୀକ୍ଷା ଯୋଜନା ଓ ସିଲାବସ୍ ଜାରି କରାଯାଇଛି। ନିଯୁକ୍ତି ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ହେବ।
ପ୍ରଥମେ ପ୍ରାର୍ଥୀଙ୍କୁ ୬୦୦ ମାର୍କର ଲିଖିତ ପରୀକ୍ଷା ଦେବାକୁ ପଡ଼ିବ। ଲିଖିତ ପରୀକ୍ଷାରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ୭୫ ମାର୍କର ପର୍ସନାଲିଟି ଟେଷ୍ଟ ପାଇଁ ଡକାଯିବ। ଉଭୟ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ପ୍ରଦର୍ଶନକୁ ଆଧାର କରି ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ପ୍ରସ୍ତୁତ ହେବ।
୨ଟି ପେପର, ମୋଟ ୬୦୦ ମାର୍କ
ଲିଖିତ ପରୀକ୍ଷାରେ ଦୁଇଟି ପେପର ରହିବ। ପ୍ରତ୍ୟେକ ପେପର ୩୦୦ ମାର୍କର ହେବ।
ପେପର-I:
ଏହା Objective Type ହେବ। ଏଥିରେ ୧୫୦ଟି ପ୍ରଶ୍ନ ରହିବ ଏବଂ ପ୍ରତ୍ୟେକ ପ୍ରଶ୍ନ ୨ ମାର୍କର ହେବ। General Awareness, ଓଡ଼ିଆ ଓ General English ଉପରେ ପ୍ରଶ୍ନ ଆସିବ। ଏହି ପେପରରେ Negative Marking ରହିବ। ଭୁଲ୍ ଉତ୍ତର ପାଇଁ ପ୍ରଶ୍ନକୁ ନିର୍ଦ୍ଧାରିତ ମାର୍କର ୨୫% କାଟି ଦିଆଯିବ।
କୌଣସି ପ୍ରଶ୍ନର ଉତ୍ତର ନଦେଲେ ମାର୍କ କଟିବ ନାହିଁ। Objective ପେପର OMR ଆଧାରିତ ହେବ ନା Computer-Based Test (CBT) ମାଧ୍ୟମରେ ହେବ, ସେନେଇ ନିଷ୍ପତ୍ତି OPSC ନେବ।
ପେପର-II:
ଏହି ପେପର ମଧ୍ୟ ୩୦୦ ମାର୍କର ହେବ ଏବଂ Subjective Type ପ୍ରଶ୍ନ ରହିବ। ଏଥିରେ ପ୍ରାର୍ଥୀଙ୍କ Education ବିଷୟର ଜ୍ଞାନ ପରୀକ୍ଷା କରାଯିବ। ସିଲାବସ୍ର ବିଭିନ୍ନ ଅଂଶରୁ କେତୋଟି ପ୍ରଶ୍ନ ରହିବ, ସେନେଇ OPSC ନିଷ୍ପତ୍ତି ନେବ।
ମେରିଟ୍ରେ ସମାନ ମାର୍କ ହେଲେ କିଏ ଆଗରେ?
ଦୁଇ କିମ୍ବା ଅଧିକ ପ୍ରାର୍ଥୀ ସମାନ ମାର୍କ ରଖିଲେ ପ୍ରଥମେ ଲିଖିତ ପରୀକ୍ଷାରେ ଅଧିକ ମାର୍କ ପାଇଥିବା ପ୍ରାର୍ଥୀଙ୍କୁ ମେରିଟ୍ରେ ଉପରେ ରଖାଯିବ। ଯଦି ଲିଖିତ ପରୀକ୍ଷାର ମାର୍କ ମଧ୍ୟ ସମାନ ରହେ, ତେବେ ମାଷ୍ଟର୍ସ ଡିଗ୍ରୀ ପରୀକ୍ଷାରେ ଅଧିକ ମାର୍କ ପାଇଥିବା ପ୍ରାର୍ଥୀଙ୍କୁ ଅଧିକ ମେରିଟ୍ ଦିଆଯିବ। ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ପ୍ରତ୍ୟେକ ପେପର ଏବଂ/କିମ୍ବା ମୋଟ ମାର୍କରେ ଆବଶ୍ୟକୀୟ Qualifying Marks ମଧ୍ୟ OPSC ନିର୍ଦ୍ଧାରଣ କରିବ।
ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ୍ (OPSC) ଏହି ନିଯୁକ୍ତି ପରୀକ୍ଷା ପରିଚାଳନା କରିବ। ସମଗ୍ର ନିଯୁକ୍ତି ପ୍ରକ୍ରିୟା Odisha Education Service (Method of Recruitment and Conditions of Service) Rules, 2019 ଅନୁଯାୟୀ ହେବ।