ଭୁବନେଶ୍ୱର: ବିଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା କରିବାକୁ ଇଚ୍ଛା ରଖୁଥିବା ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର। ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ଛାତ୍ରଛାତ୍ରୀଙ୍କୁ ବିଦେଶରେ PG ଓ PhD ପଢ଼ିବା ପାଇଁ ଆର୍ଥିକ ସହାୟତା ଦେବାକୁ ଓଡ଼ିଶା ସରକାର ମଙ୍ଗଳବାର ‘ବିଦେଶ ଶିକ୍ଷାବୃତ୍ତି’ ଯୋଜନା ଆରମ୍ଭ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା (MMCPY) ଅଧୀନରେ ଆରମ୍ଭ ହୋଇଥିବା ଏହି ସ୍କଲାରସିପ୍ ମାଧ୍ୟମରେ ପ୍ରତିବର୍ଷ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ସହାୟତା ମିଳିବ। ଟ୍ୟୁସନ୍ ଫି’, ରହିବା ଖର୍ଚ୍ଚ ସହ ବିଦେଶରେ ପଢ଼ା ସମୟର ଅନ୍ୟାନ୍ୟ ଆବଶ୍ୟକ ଖର୍ଚ୍ଚ ପାଇଁ ସରକାର ଆର୍ଥିକ ସହାୟତା ଦେବେ।
ଅଗଷ୍ଟ ୧୮ରୁ ୩୧ ଯାଏଁ ଆବେଦନ
୨୦୨୫-୨୬ ଓ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ଅଗଷ୍ଟ ୧୮ରୁ ୩୧ ତାରିଖ ମଧ୍ୟରେ ଓଡ଼ିଶା ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ୍ ଜରିଆରେ ଆବେଦନ କରିପାରିବେ।
କିଏ କରିପାରିବେ ଆବେଦନ?
କେବଳ ଓଡ଼ିଶାର ସ୍ଥାୟୀ ବାସିନ୍ଦା SC ଓ ST ବର୍ଗର ଛାତ୍ରଛାତ୍ରୀ ଏହି ସୁବିଧା ପାଇପାରିବେ। ଆବେଦନକାରୀଙ୍କ ପାଖରେ ବିଦେଶର QS ରାଙ୍କିଙ୍ଗ୍ର ଶ୍ରେଷ୍ଠ ୨୦୦ ମଧ୍ୟରେ ଥିବା ବିଶ୍ୱବିଦ୍ୟାଳୟରୁ ଅନକଣ୍ଡିସନାଲ୍ ଆଡମିସନ୍ ଅଫର ରହିବା ଆବଶ୍ୟକ।
ପରିବାରର ବାର୍ଷିକ ମୋଟ ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଦରକାର। ପରିବାରର ସମସ୍ତ ସଦସ୍ୟଙ୍କ ଆୟ, ପେନସନ୍ ଆଦିକୁ ହିସାବରେ ନିଆଯିବ।
PG ଓ PhD ପାଇଁ ଅଲଗା ଯୋଗ୍ୟତା
PG ପାଠ୍ୟକ୍ରମ ପାଇଁ ସମ୍ପୃକ୍ତ ବ୍ୟାଚେଲର୍ ଡିଗ୍ରୀରେ ଅତିକମରେ ୬୫% ମାର୍କ ଏବଂ ବୟସ ୩୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ।ସେହିପରି PhD ପାଇଁ ସମ୍ପୃକ୍ତ ମାଷ୍ଟର୍ ଡିଗ୍ରୀରେ ଅତିକମରେ ୬୫% ମାର୍କ ଏବଂ ବୟସ ୪୦ ବର୍ଷରୁ ଅଧିକ ହୋଇନଥିବା ଦରକାର।
ବର୍ଷକୁ ମିଳିବ ୨୫ ଲକ୍ଷ!
ଏହି ଯୋଜନାରେ ଜଣେ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ପ୍ରାୟ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିପାରିବ।
- ଟ୍ୟୁସନ୍ ଫି’ ପାଇଁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ
- ରହିବା ଖର୍ଚ୍ଚ ପାଇଁ ୭ ଲକ୍ଷ ଟଙ୍କା
- ଯାତ୍ରା, ବୀମା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୩ ଲକ୍ଷ ଟଙ୍କା
ତେବେ ପ୍ରତି ପାଠ୍ୟକ୍ରମ ପାଇଁ ସମୁଦାୟ ସହାୟତା ୫୦ ଲକ୍ଷ ଟଙ୍କାରେ ସୀମିତ ରହିବ। ଜଣେ ଛାତ୍ର ଜୀବନକାଳରେ କେବଳ ଥରେ ଏହି ସ୍କଲାରସିପ୍ ନେଇପାରିବେ PG କିମ୍ବା PhD ମଧ୍ୟରୁ ଯେକୌଣସି ଗୋଟିଏ ପାଇଁ।
QS ରାଙ୍କିଙ୍ଗ୍ ଆଧାରରେ ଚୟନ
ବିଦେଶୀ ବିଶ୍ୱବିଦ୍ୟାଳୟର QS ରାଙ୍କିଙ୍ଗ୍ ମୁଖ୍ୟତଃ ଚୟନର ଆଧାର ହେବ। ଉଚ୍ଚ ରାଙ୍କିଙ୍ଗ୍ ବିଶ୍ୱବିଦ୍ୟାଳୟରେ ଆଡମିସନ୍ ପାଇଥିବା ପ୍ରାର୍ଥୀଙ୍କୁ ଅଧିକ ପ୍ରାଥମିକତା ମିଳିବ। ସମାନ ରାଙ୍କ୍ ହେଲେ ପୂର୍ବ ପରୀକ୍ଷାର ମାର୍କ ଏବଂ ପରେ ପରିବାରର ଆୟକୁ ବିଚାର କରାଯିବ।
ଓଡ଼ିଶା ଷ୍ଟେଟ୍ ହାୟର ଏଜୁକେସନ୍ କାଉନସିଲ୍ (OSHEC) ଏହି ପ୍ରକ୍ରିୟାର ନୋଡାଲ୍ ଏଜେନ୍ସି ଭାବେ କାମ କରିବ। ଚୟନ କମିଟି ଆବେଦନ ଯାଞ୍ଚ କରିବା ସହ ଶିକ୍ଷାଗତ ଯୋଗ୍ୟତା, ଆଡମିସନ୍ ଓ ବିଶ୍ୱବିଦ୍ୟାଳୟର ରାଙ୍କିଙ୍ଗ୍ ଯାଞ୍ଚ କରିବ। ଆବଶ୍ୟକ ହେଲେ ପ୍ରାର୍ଥୀଙ୍କ ସାକ୍ଷାତକାର ମଧ୍ୟ ନିଆଯିବ।
ତେବେ ଏହି ସ୍କଲାରସିପ୍ ନେଉଥିବା ଛାତ୍ରଛାତ୍ରୀ ସମାନ ପାଠ୍ୟକ୍ରମ ପାଇଁ ଅନ୍ୟ କୌଣସି ସ୍କଲାରସିପ୍, ଫେଲୋସିପ୍, ଗ୍ରାଣ୍ଟ କିମ୍ବା ଷ୍ଟାଇପେଣ୍ଡ ନେଇପାରିବେ ନାହିଁ। ନିୟମ ଉଲ୍ଲଂଘନ କଲେ ସ୍କଲାରସିପ୍ ବାତିଲ ସହ ଟଙ୍କା ସୁଧ ସହିତ ଫେରସ୍ତ ନେବାର ବ୍ୟବସ୍ଥା ରହିଛି। ଏହି ଯୋଜନା ଆର୍ଥିକ ଅସୁବିଧା କାରଣରୁ ବିଦେଶରେ ଉଚ୍ଚଶିକ୍ଷାର ସୁଯୋଗରୁ ବଞ୍ଚିତ ହେଉଥିବା ଓଡ଼ିଶାର ମେଧାବୀ SC-ST ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।