ଭୁବନେଶ୍ୱର: ଉଚ୍ଚମାଧ୍ୟମିକ (+୨) ଶିକ୍ଷା ପାଇଁ ଚାଲିଥିବା ୨୦୨୬-୨୭ ଶିକ୍ଷାବର୍ଷର SAMS e-Admission ପ୍ରକ୍ରିୟାର ଫେଜ୍-୧ SPOT ଆଡମିଶନ ଚୟନ ତାଲିକା ପ୍ରକାଶ ପାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜୁନିୟର କଲେଜରେ ମୋଟ ୨୫,୩୩୨ ଜଣ ଛାତ୍ରଛାତ୍ରୀ ଭର୍ତ୍ତି ପାଇଁ ଚୟନ ହୋଇଛନ୍ତି।
ଅଧିକାରୀମାନଙ୍କ ସୂଚନା ଅନୁସାରେ, ଏହି ଚୟନ ତାଲିକାରେ ୩,୭୮୬ ଜଣ ନୂଆ ପ୍ରାର୍ଥୀ ସୁଯୋଗ ପାଇଛନ୍ତି। ଏମାନେ ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଚୟନ ତାଲିକାରେ ସ୍ଥାନ ପାଇନଥିଲେ।
ବିଭାଗଭିତ୍ତିକ ଚୟନ ଦେଖିଲେ କଳା (Arts)ରେ ସର୍ବାଧିକ ୧୪,୧୮୦ ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି। ସେହିପରି ବିଜ୍ଞାନ (Science)ରେ ୭,୨୨୬, ବାଣିଜ୍ୟ (Commerce)ରେ ୨,୬୦୧, ଧନ୍ଦାମୂଳକ (Vocational)ରେ ୧,୦୬୮ ଏବଂ ସଂସ୍କୃତ ବିଭାଗରେ ୨୫୭ ଜଣ ଚୟନ ହୋଇଛନ୍ତି।
SPOT ଚୟନ ପାଇଁ ମୋଟ ୪୮,୫୩୬ ଜଣ ପ୍ରାର୍ଥୀଙ୍କୁ ବିଚାର କରାଯାଇଥିଲା। ସେଥିମଧ୍ୟରୁ ୨୫,୩୩୨ ଜଣ ଚୟନ ହୋଇଥିବା ବେଳେ ୨୩,୨୦୪ ଜଣ ଚୟନ ହୋଇପାରିନାହାନ୍ତି। ପ୍ରଥମ, ଦ୍ୱିତୀୟ ଓ SPOT ଚୟନ ପରେ ମଧ୍ୟ ୨୦,୪୫୦ ଜଣ ପ୍ରାର୍ଥୀ ଏପର୍ଯ୍ୟନ୍ତ ଚୟନ ବାହାରେ ରହିଛନ୍ତି। ଏହାଛଡ଼ା, ମୋଟ ୭,୩୩୮ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରଥମ ପସନ୍ଦର କଲେଜ ଓ ବିଭାଗରେ ସିଟ୍ ପାଇଛନ୍ତି।
ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ SAMS ପୋର୍ଟାଲରେ ଲଗ୍ଇନ୍ କରି ଆଡମିଶନ, ଡକ୍ୟୁମେଣ୍ଟ ଯାଞ୍ଚ ଓ ପରବର୍ତ୍ତୀ ପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ତ ସୂଚନା ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ପର୍ଯ୍ୟାୟର e-Admission କାର୍ଯ୍ୟସୂଚୀ ଖୁବ୍ ଶୀଘ୍ର ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି।