ସିଓଲ/ଟୋକିଓ: ବିଶ୍ୱ ରାଜନୀତିରେ ପୁଣି ଉତ୍ତେଜନା ସୃଷ୍ଟି କରିଛନ୍ତି ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗ୍ ଉନ୍। ମାତ୍ର ୩ ଘଣ୍ଟା ବ୍ୟବଧାନରେ ଦୁଇ ଦୁଇଟି ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରି ଉତ୍ତର କୋରିଆ ନିଜର ଶକ୍ତି ପ୍ରଦର୍ଶନ କରିଛି। କିମ୍ଙ୍କ ଏହି ଆକ୍ରାମକ ଆଭିମୁଖ୍ୟ ପରେ ଜାପାନ, ଦକ୍ଷିଣ କୋରିଆ ଏବଂ ଆମେରିକାରେ କମ୍ପନ ସୃଷ୍ଟି ହୋଇଛି।
ଦକ୍ଷିଣ କୋରିଆର ସାମରିକ ବିଭାଗର ସୂଚନା ଅନୁସାରେ, ଉତ୍ତର କୋରିଆର ପୂର୍ବ ଉପକୂଳସ୍ଥ 'ୱୋନସାନ୍' ଅଞ୍ଚଳରୁ ପ୍ରଥମ କ୍ଷେପଣାସ୍ତ୍ରଟି ନିକ୍ଷେପ କରାଯାଇଥିଲା। ଏହା ପ୍ରାୟ ୪୫୦ କିଲୋମିଟର ଦୂରତା ଅତିକ୍ରମ କରି ଜାପାନ ସାଗରରେ ପଡ଼ିଥିଲା। ଏହି ପରୀକ୍ଷଣର ମାତ୍ର ୩ ଘଣ୍ଟା ନପୁରୁଣୁ ଉତ୍ତର କୋରିଆ ଦ୍ୱିତୀୟ କ୍ଷେପଣାସ୍ତ୍ର ପ୍ରହାର କରିଥିଲା, ଯାହା ୬୦୦ କିଲୋମିଟରରୁ ଅଧିକ ଦୂରକୁ ଗତି କରିଥିଲା। ଏହି ଦୁଇଟିଯାକ କ୍ଷେପଣାସ୍ତ୍ର ହ୍ରସ୍ୱ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ଶ୍ରେଣୀର ବୋଲି ସନ୍ଦେହ କରାଯାଉଛି।
ଉତ୍ତର କୋରିଆର ଏହି କ୍ରମାଗତ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଜାପାନ ଓ ଦକ୍ଷିଣ କୋରିଆରେ ଆଲୋଡ଼ନ ସୃଷ୍ଟି ହୋଇଛି। ଜାପାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, କ୍ଷେପଣାସ୍ତ୍ରଗୁଡ଼ିକ ଜାପାନର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ବାହାରେ ସମୁଦ୍ରରେ ଖସିପଡ଼ିଛି। ତଥାପି ଏହା ଆଞ୍ଚଳିକ ସୁରକ୍ଷା ପ୍ରତି ଏକ ବଡ଼ ଧମକ ବୋଲି ଜାପାନ କହିବା ସହ ଚୀନ୍ ସ୍ଥିତ ଦୂତାବାସ ଜରିଆରେ କଡ଼ା ବିରୋଧ ପ୍ରଦର୍ଶନ କରିଛି। ଅନ୍ୟପଟେ ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା ପରିଷଦ (NSC) ଏହି ଘଟଣାକୁ ଜାତିସଂଘ ସୁରକ୍ଷା ପରିଷଦର ନିୟମାବଳୀର ସପାସପ୍ ଉଲ୍ଲଂଘନ ବୋଲି ଦର୍ଶାଇଛି ଏବଂ ତୁରନ୍ତ ଏପରି ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ଆହ୍ୱାନ ଦେଇଛି।
ସମ୍ପ୍ରତି ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ମିଳିତ ଭାବେ ସମୁଦ୍ରରେ ବଡ଼ ଧରଣର ସାମରିକ ସମରାଭ୍ୟାସ କରିଥିଲେ, ଯାହାକୁ ନେଇ କ୍ରୋଧିତ ହୋଇଥିଲା ଉତ୍ତର କୋରିଆ। କିମ୍ ଜୋଙ୍ଗ୍ଙ୍କ ଶକ୍ତିଶାଳୀ ଭଉଣୀ କିମ୍ ଜୋ-ଜୋଙ୍ଗ୍ ସ୍ପଷ୍ଟ ଚେତାବନୀ ଦେଇଥିଲେ ଯେ, ଆମେରିକାର ଏହି ଦାଦାଗିରି ଯୋଗୁଁ କୋରିଆ ଉପଦ୍ୱୀପରେ ସ୍ଥିତି ବିଗୁଡ଼ୁଛି ଏବଂ ନିଜର ପରମାଣୁ ଓ ମିସାଇଲ୍ ଭଣ୍ଡାରକୁ ଆହୁରି ମଜବୁତ୍ କରିବାରୁ ଉତ୍ତର କୋରିଆ କେବେବି ଓହରିବ ନାହିଁ।