ମୁମ୍ବାଇ: ଟାଟା ସନ୍ସ (Tata Sons) ର ଚେୟାରମ୍ୟାନ୍ ଭାବେ ଏନ୍. ଚନ୍ଦ୍ରଶେଖରନ୍ଙ୍କୁ ପୁନଃନିଯୁକ୍ତ କରିବାକୁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ଆରମ୍ଭ ହୋଇଯାଇଛି ବଡ଼ ବିବାଦ। ଟାଟା ସନ୍ସ ବୋର୍ଡର ଏହି ନିଷ୍ପତ୍ତିକୁ 'ଟାଟା ଟ୍ରଷ୍ଟ' (Tata Trusts) ସମ୍ପୂର୍ଣ୍ଣ ବେଆଇନ୍ ଏବଂ ଅସିଦ୍ଧ ବୋଲି ଘୋଷଣା କରିଛି। ଟାଟା ସନ୍ସର ସବୁଠାରୁ ବଡ଼ ସେୟାରହୋଲ୍ଡର ହୋଇଥିବା 'ଟାଟା ଟ୍ରଷ୍ଟ' ସ୍ପଷ୍ଟ କରିଛି ଯେ କମ୍ପାନୀର ନିୟମ ଅନୁଯାୟୀ ଏହି ନିଯୁକ୍ତି ପ୍ରକ୍ରିୟା ଆଇନଗତ ଭାବେ ଗ୍ରହଣଯୋଗ୍ୟ ନୁହେଁ।
ବୋର୍ଡର ୪:୧ ଭୋଟ୍କୁ କାହିଁକି ରଦ୍ଦ କଲା ଟ୍ରଷ୍ଟ ?
ଟାଟା ସନ୍ସ ବୋର୍ଡ ବୈଠକରେ ଏନ୍. ଚନ୍ଦ୍ରଶେଖରନଙ୍କୁ ଆଗାମୀ ୫ ବର୍ଷ ପାଇଁ ଚେୟାରମ୍ୟାନ୍ ପଦରେ ରଖିବାକୁ ୪:୧ ଭୋଟ୍ରେ ସଂକଳ୍ପ ପାରିତ ହୋଇଥିଲା। ତେବେ ଟାଟା ଟ୍ରଷ୍ଟ୍ସ ରବିବାର ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛି ଯେ, କମ୍ପାନୀ ନିୟମ ଅନୁସାରେ ଚେୟାରମ୍ୟାନ୍ ନିଯୁକ୍ତ କରିବା ପାଇଁ 'ଟାଟା ଟ୍ରଷ୍ଟ୍ସ' ଦ୍ୱାରା ମନୋନୀତ ଡାଇରେକ୍ଟର (Nominated Directors) ମାନଙ୍କ ସମ୍ମତି ବା 'ସକାରାତ୍ମକ ସମର୍ଥନ' ନିହାତି ଜରୁରୀ।
ଟାଟା ସନ୍ସ ବୋର୍ଡରେ ଟାଟା ଟ୍ରଷ୍ଟର ଦୁଇଜଣ ମନୋନୀତ ସଦସ୍ୟ ଅଛନ୍ତି। ନିୟମ ଅନୁସାରେ ଦୁଇଜଣଙ୍କ ମଧ୍ୟରୁ ଦୁହିଁଙ୍କ ସମର୍ଥନ ଆବଶ୍ୟକ। କିନ୍ତୁ ବୋର୍ଡ ବୈଠକରେ ଜଣେ ମନୋନୀତ ନିର୍ଦ୍ଦେଶକ ଏହି ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିଲେ। ତେଣୁ ଟ୍ରଷ୍ଟର ସକାରାତ୍ମକ ସମର୍ଥନ ମିଳିପାରି ନଥିବାରୁ ଏହି ନିଷ୍ପତ୍ତି ଆଇନଗତ ଭାବେ ଶୂନ୍ୟ ହୋଇଯାଇଛି।
'କାଷ୍ଟିଂ ଭୋଟ୍' ଯୁକ୍ତିକୁ ବି କଲେ ଖାରଜ
ବୋର୍ଡ ପକ୍ଷରୁ 'କାଷ୍ଟିଂ ଭୋଟ୍' ବା ନିର୍ଣ୍ଣାୟକ ମତ ବ୍ୟବହାର କରାଯାଇଥିବା ଯୁକ୍ତିକୁ ମଧ୍ୟ ଟ୍ରଷ୍ଟ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି। ଟ୍ରଷ୍ଟ କହିଛି ଯେ, କମ୍ପାନୀର ନିୟମାବଳୀ ସ୍ପଷ୍ଟ ଥିବାବେଳେ ଏହାକୁ ମନମୁଖୀ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଚେୟାରମ୍ୟାନ୍ଙ୍କ ନିର୍ଣ୍ଣାୟକ ଭୋଟ୍ କେବଳ ସେତେବେଳେ ଲାଗୁହୁଏ, ଯେତେବେଳେ ବୋର୍ଡରେ ସମାନ ସଂଖ୍ୟକ ଭୋଟ୍ ପଡ଼ିଥାଏ। ଟାଟା ଟ୍ରଷ୍ଟ୍ସର ମନୋନୀତ ନିର୍ଦ୍ଦେଶକଙ୍କ ଅଧିକାର କ୍ଷେତ୍ରରେ ଏହି ନିୟମ ଲାଗୁ ହୁଏନାହିଁ।