ଭୁବନେଶ୍ୱର: ଅନଲାଇନ୍ ଜରିଆରେ ଟଙ୍କା ନେଣଦେଣ କରୁଥିବା କୋଟି କୋଟି ଭାରତୀୟଙ୍କ ପାଇଁ ଖୁସି ଖବର ଆସିଛି । କେନ୍ଦ୍ର ସରକାର ୨୦୦୦ ଟଙ୍କା ପର୍ଯ୍ୟନ୍ତ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ନେଣଦେଣକୁ ଦେୟ ମୁକ୍ତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପେମେଣ୍ଟ ଆଣ୍ଡ୍ ସେଟେଲମେଣ୍ଟ ସିଷ୍ଟମ୍ ଆଇନ, ୨୦୦୭ର ୫୧ର ଧାରା ୧୦(କ) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି କେନ୍ଦ୍ର ସରକାର ଅନଲାଇନ୍ ଟଙ୍କା ନେଣଦେଣର ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରିଛନ୍ତି । ରୁପେ (RuPay) ଦ୍ୱାରା ପରିଚାଳିତ ଡେବିଟ୍ କାର୍ଡ ଏବଂ ୨୦୦୦ ଟଙ୍କା ପର୍ଯ୍ୟନ୍ତ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) କାରବାରକୁ ସରକାର ଦେୟମୁକ୍ତ କରିଛନ୍ତି ।
ଏହି ନିର୍ଦ୍ଦିଷ୍ଟ ଅନଲାଇନ୍ ପେମେଣ୍ଟ ପଦ୍ଧତି ବ୍ୟବହାର କରି ଟଙ୍କା କାରବାର ଉପଭୋକ୍ତାଙ୍କ ଉପରେ କୌଣସି ବ୍ୟାଙ୍କ କିମ୍ବା ସିଷ୍ଟମ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କୌଣସି ଶୁଳ୍କ ଲାଗୁ କରିବେ ନାହିଁ ।