ନୂଆଦିଲ୍ଲୀ: ଭାରତୀୟ ସ୍ପେଟ୍ ବ୍ୟାଙ୍କ (SBI) ର ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆସନ୍ତା ୧ ଅକ୍ଟୋବରରୁ ବ୍ୟାଙ୍କ ନିଜର ଏଟିଏମ୍ ଟ୍ରାନଜାକ୍ସନ୍ ଏବଂ ସେବା ସମ୍ପର୍କିତ ନିୟମରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛି। ବିଶେଷ କରି ସାଲାରୀ ଆକାଉଣ୍ଟ (ଜରୁରୀ ବେତନ ଆକାଉଣ୍ଟ) ଧାରକ ଏବଂ ସାଧାରଣ ସଞ୍ଚୟ ଆକାଉଣ୍ଟ ବ୍ୟବହାରକାରୀଙ୍କ ପାଇଁ ନୂଆ ଚାର୍ଜ ଓ ମାଗଣା ଲେଣଦେଣର ସୀମା ନିର୍ଦ୍ଧାରଣ କରାଯାଇଛି।
ନୂଆ ନିୟମ ଅନୁଯାୟୀ, SBI ସାଲାରୀ ଆକାଉଣ୍ଟ ଥିବା ଗ୍ରାହକମାନଙ୍କୁ ATM ଟ୍ରାନଜାକ୍ସନ୍ରେ ବିଶେଷ ସୁବିଧା ପ୍ରଦାନ କରାଯିବ। ସାଲାରୀ ଆକାଉଣ୍ଟଧାରୀମାନେ SBI ATM ରୁ ଯେତେଥର ଚାହିଁବେ ମାଗଣାରେ ଟଙ୍କା ଉଠାଇପାରିବେ। ଏହାବାଦ୍ ଅନ୍ୟ ବ୍ୟାଙ୍କର ATM ରୁ ମଧ୍ୟ ମାସିକ ନିର୍ଦ୍ଧାରିତ ସୀମା ପର୍ଯ୍ୟନ୍ତ ମାଗଣା ଟ୍ରାନ୍ସଜାକ୍ସନ୍ ସୁବିଧା ମିଳିବ, ଯାହା ପରେ ସାମାନ୍ୟ ଶୁଳ୍କ ଲାଗୁ ହେବ।
ଅନ୍ୟପଟେ ସାଧାରଣ ସଞ୍ଚୟ ଆକାଉଣ୍ଟଧାରୀଙ୍କ ପାଇଁ ମାସିକ ମାଗଣା ଟ୍ରାନଜାକ୍ସନ୍ ସୀମା ବଜାୟ ରହିବ। ମେଟ୍ରୋ ସହରଗୁଡ଼ିକରେ ମାସକୁ ୩ଟି ଏବଂ ନନ୍-ମେଟ୍ରୋ (ଗ୍ରାମାଞ୍ଚଳ ଓ ଅନ୍ୟ ସହର) ରେ ମାସକୁ ୫ଟି ମାଗଣା ଟ୍ରାନ୍ସଜାକ୍ସନ୍ ମିଳିବ। ଏହି ମାଗଣା ସୀମା ଶେଷ ହେବା ପରେ ପ୍ରତି ଆର୍ଥିକ ଲେଣଦେଣ ପାଇଁ ନିର୍ଦ୍ଧାରିତ ଶୁଳ୍କ ସହ ଜିଏସ୍ଟି ଯୋଡ଼ାଯିବ। ବାଲାନ୍ସ ଚେକ୍ କରିବା କିମ୍ବା ମିନି ଷ୍ଟେଟ୍ମେଣ୍ଟ କାଢ଼ିବା ଭଳି ଅଣ-ଆର୍ଥିକ ଲେଣଦେଣ ପାଇଁ ମଧ୍ୟ ସୀମା ପାର ହେବା ପରେ ଶୁଳ୍କ ଦେବାକୁ ପଡ଼ିବ।
ଅକ୍ଟୋବର ୧ରୁ ଲାଗୁ ହେବାକୁ ଥିବା ଏହି ନୂଆ ନିୟମାବଳୀ ସମ୍ପର୍କରେ ବ୍ୟାଙ୍କ ପକ୍ଷରୁ ନିଜର ଅଫିସିଆଲ୍ ୱେବସାଇଟ୍ ଓ SMS ମାଧ୍ୟମରେ ଗ୍ରାହକଙ୍କୁ ଅବଗତ କରାଯାଉଛି। ଅନାବଶ୍ୟକ ଚାର୍ଜରୁ ବଞ୍ଚିବା ପାଇଁ ଗ୍ରାହକମାନେ ୟୁପିଆଇ, ନେଟ୍ ବ୍ୟାଙ୍କିଂ କିମ୍ବା YONO ଆପ୍ ଭଳି ଡିଜିଟାଲ୍ ମାଧ୍ୟମର ଅଧିକ ବ୍ୟବହାର କରିବାକୁ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
Also Read: ଆଜି ମଧ୍ୟ ରାତ୍ରରେ ବନ୍ଦ ରହିବ ଏସବିଆଇ ୟୁପିଆଇ ସେବା