ନୂଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱ ଯେଉଁ ତୈଳ ସଙ୍କଟର ସମ୍ମୁଖୀନ ହୋଇଛି ତାହାର ସିଧାସଳଖ ପ୍ରଭାବ ଅଟୋମୋବାଇଲ୍ ମାର୍କେଟ ଉପରେ ପଡ଼ିଛି । ଗ୍ରାହକ ଏବେ ପେଟ୍ରୋଲ ଓ ଡିଜେଲ ଗାଡ଼ି ଅପେକ୍ଷା କମ୍ପ୍ରେସ୍ଡ ନାଚୁଲାର୍ ଗ୍ୟାସ୍ (ସିଏନଜି) ଏବଂ ବିଦ୍ୟୁତ ଚାଲିତ ଯାନ (ଇଭି)କୁ ଅଧିକ ପସନ୍ଦ କରୁଛନ୍ତି । ଭାରତୀୟ ଅଟୋମୋବାଇଲ୍ ମାର୍କେଟ ଅଗଷ୍ଟ ମାସରେ ଏକ ଇତିହାସ ରଚିଛି ।
ଫେଡେରେସନ୍ ଅଟୋମୋବାଇଲ୍ ଡିଲର୍ସ ଏସୋସିଏସନ୍ (ଏଫଏଡିଏ)ର ରିପୋର୍ଟ ମୁତାବକ ଅଗଷ୍ଟ ମାସରେ ଗାଡ଼ି ବିକ୍ରିରେ ୧୭.୫୧ ପ୍ରତିଶତ ବୃଦ୍ଧି ଘଟିଛି । ଅର୍ଥାତ ୨୪ ଲକ୍ଷ ୨୩ ହଜାର ୨୦୧ଟି ଗାଡ଼ି ବିକ୍ରି ହୋଇଛି । ତେବେ ପେଟ୍ରୋଲ ଚାଳିତ ଗାଡ଼ି ତୁଳନାରେ ସିଏନଜି, ହ୍ରାଇବ୍ରିଡ୍ ଏବଂ ଇଭି ଗାଡ଼ି ଅଧିକ ସଂଖ୍ୟାରେ ବିକ୍ରି ହୋଇଛି ।
ଯଦି ପରିସଂଖ୍ୟାନକୁ ଦେଖିବା ତେବେ ଅଗଷ୍ଟ ମାସରେ ସିଏନଜି, ହ୍ରାଇବ୍ରିଡ୍ ଏବଂ ଇଭି ଗାଡ଼ି ବିକ୍ରି ୪୧.୯୫ ପ୍ରତିଶତ ହୋଇଛି । କିନ୍ତୁ ପେଟ୍ରୋଲ ୪୦.୮୫ ପ୍ରତିଶତ ବିକ୍ରି ହୋଇଛି । ଏହା ଭାରତରେ ପ୍ରଥମ ଥର ହୋଇଛି । ଜୁଲାଇ ୨୦୨୬ ର ସର୍ବକାଳୀନ ତୁଳନାରେ, ଅଗଷ୍ଟ ମାସରେ ମୋଟ ବିକ୍ରୟ ୬.୪୮ ପ୍ରତିଶତ ସାମାନ୍ୟ ହ୍ରାସ ପାଇଛି । FADA ସଭାପତି ସାଇ ଗିରଧର କହିଛନ୍ତି ଯେ ଏହି ହ୍ରାସ ମୌସୁମୀ ଋତୁ ଏବଂ ପର୍ବପର୍ବାଣୀ ତାରିଖ ପରିବର୍ତ୍ତନ ଯୋଗୁଁ ହୋଇଛି ।
ଚଳିତ ବର୍ଷ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଗାଡ଼ି ବିକ୍ରୟରେ ଯଥେଷ୍ଟ ଉନ୍ନତି ହୋଇଛି। ଅଗଷ୍ଟ ମାସରେ, ଗ୍ରାମାଞ୍ଚଳ ଅଟୋ ବଜାରରେ ଅଭିବୃଦ୍ଧି ୧୯.୭୯ ପ୍ରତିଶତ ରେକର୍ଡ ହୋଇଛି । ଯାହା ସହରାଞ୍ଚଳ ବଜାରରେ ୧୫.୧୭ ପ୍ରତିଶତ ଥିଲା। ଯାତ୍ରୀବାହୀ ଯାନବାହାନରେ ଗ୍ରାମାଞ୍ଚଳ ଚାହିଦାରେ ୨୪.୯୯ ପ୍ରତିଶତ ବୃଦ୍ଧି ଘଟିଛି ଯାହା ସହରାଞ୍ଚଳରେ ୧୦.୯୩ ପ୍ରତିଶତ ଅଭିବୃଦ୍ଧି ତୁଳନାରେ ଦୁଇଗୁଣ ଅଧିକ । ଆଗାମୀ ଦିନରେ ପାର୍ବଣ ସମୟ ଆସୁଥିବାରୁ ଯାନବାହାନ କିଣାରେ ଆହୁରି ବୃଦ୍ଧି ଘଟିବ ବୋଲି FADA ଆଶାବ୍ୟକ୍ତ କରିଛି ।