ନୂଆଦିଲ୍ଲୀ: କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଇଥିବା ରୋମାଞ୍ଚକର ଦ୍ଵିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ନିଜର ଆକ୍ରମଣାତ୍ମକ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି। ଶେଷ ୩ ଓଭରରେ ବିଜୟ ପାଇଁ ୪୬ ରନ୍ ଆବଶ୍ୟକ ଥିବାବେଳେ ହାତରେ ମାତ୍ର ୪ଟି ୱିକେଟ୍ ବାକି ଥିଲା। ଏହି କଠିନ ପରିସ୍ଥିତିରେ ତିଳକ ବର୍ମା ଏବଂ ନୀତିଶ କୁମାର ରେଡ୍ଡୀ ଦମଦାର ବ୍ୟାଟିଂ କରି ଭାରତକୁ ଚମତ୍କାର ବିଜୟ ଦେଇଛନ୍ତି। ଏହି ରୋମାଞ୍ଚକର ବିଜୟ ସହ ଟିମ୍ ଇଣ୍ଡିଆ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିନେଇଛି।
୧୮୧ ରନର ବିଶାଳ ଲକ୍ଷ୍ୟ ପିଛା କରୁଥିବା ଭାରତୀୟ ଦଳର ଆରମ୍ଭ ନିରାଶାଜନକ ରହିଥିଲା। ଦଳର ପ୍ରମୁଖ ବ୍ୟାଟର ସଞ୍ଜୁ ସାମସନ (୧୪), ବୈଭବ ସୂର୍ଯ୍ୟବଂଶୀ (୪), ଅଧିନାୟକ ଶ୍ରେୟସ ଆୟର (୭) ଓ ଅଭିଷେକ ଶର୍ମା (୨୭) ଶସ୍ତାରେ ପାଭିଲିୟନ ଫେରିଥିଲେ। ମାତ୍ର ୭୦ ରନରେ ୫ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇ ଭାରତୀୟ ଦଳ ଗମ୍ଭୀର ସଙ୍କଟରେ ପଡ଼ିଯାଇଥିଲା। ନ୍ୟୁଜିଲାଣ୍ଡ ସ୍ପିନର ମିଚେଲ ସାଣ୍ଟନର ୪ଟି ୱିକେଟ୍ ନେଇ ଭାରତୀୟ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ, ଯାହାଫଳରେ ଘରୋଇ ଦଳର ବିଜୟ ପ୍ରାୟ ନିଶ୍ଚିତ ମନେହେଉଥିଲା। ନମନ ଧୀର ୧୭ ବଲରୁ ଦ୍ରୁତ ୩୧ ରନର ଉପଯୋଗୀ ଇନିଂସ ଖେଳିଥିଲେ।
୬ଷ୍ଠ ୱିକେଟ୍ ପତନ ପରେ କ୍ରିଜକୁ ଆସିଥିବା ତିଳକ ବର୍ମା ଏବଂ ନୀତିଶ ରେଡ୍ଡୀ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ଦୁହେଁ ୭ମ ୱିକେଟ୍ ପାଇଁ ମାତ୍ର ୩୦ ବକରୁ ୬୯ ରନର ବିସ୍ଫୋରକ ଓ ଅପରାଜିତ ଭାଗୀଦାରୀ କରିଥିଲେ। ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ତିଳକ ବର୍ମା ୨୬ ବଲରୁ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନ୍ ସଂଗ୍ରହ କରିଥିଲେ। ଅପରପକ୍ଷରେ ୭ ନମ୍ବରରେ ଆସିଥିବା ନୀତିଶ କୁମାର ରେଡ୍ଡୀ ୧୩ ବଲରୁ ୧ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୨୬ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ୧୯.୫ ଓଭରରେ ଜିତାଯାଇଥିଲେ।
ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୦ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ୪୩ ଗେନ୍ଦରୁ ୪ଟି ଚୌକା ଓ ୪ଟି ଛକା ସହ ସର୍ବାଧିକ ୭୦ ରନ୍ କରିଥିବା ବେଳେ ବେଭାନ୍ ଜାକବ୍ସ ୫୮ ରନର ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ତାରକା ପେସର ଅର୍ଶଦୀପ ସିଂହ ସର୍ବାଧିକ ୨ଟି ୱିକେଟ୍ ଅଖତିଆର କରିଥିଲେ।