ନୟୋଗା: ଜାପାନରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଦ୍ୱିତୀୟ ଦିନର ଅଭିଯାନ ସ୍ୱର୍ଣ୍ଣ ପଦକରୁ ଆରମ୍ଭ ହୋଇଛି । ସେପେଟେ ଟେବୁଲ ଟେନିସରେ ପଦକ ବର୍ଷା ହୋଇଛି । ଦୀପ୍ତି ଜୀବନଜୀ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଧାବିକା ଦିପ୍ତୀ ମହିଳା, ୪୦୦ ମିଟର T20 ଫାଇନାଲ୍କୁ ୫୬.୩୬ ସେକେଣ୍ଡରେ ସମ୍ପୂର୍ଣ୍ଣ କରି ଜାପାନର ନିନା କାନୋଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ଦେଇଛନ୍ତି । ଏହାକୁ ମିଶାଇ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୫ରେ ପହଁଚିଛି ।
ଜାପାନର ନିନା କାନୋ ୫୮.୯୨ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ଜିତିଛନ୍ତି। ଦୀପ୍ତି ପୂର୍ବରୁ ହିଟ୍ ପର୍ଯ୍ୟାୟରେ ୫୭.୫୭ ସେକେଣ୍ଡ ସମୟ ନେଇ ଏକ ନୂତନ ଏସୀୟ ପାରା ଗେମ୍ସ ରେକର୍ଡ ସୃଷ୍ଟି କରିସାରିଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ସେ ଆହୁରି ଉନ୍ନତ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ଜାଭେଲିନରେ ୨ ପଦକ
ଭାରତ ପୁରୁଷ F53/F54 ଜାଭେଲିନ୍ ଫାଇନାଲରେ ଦୁଇଟି ପଦକ ହାସଲ କରିଛି। ପ୍ରଦୀପ କୁମାର ଏବଂ ଆୟୁଷ ବର୍ମା ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଦେଇଛନ୍ତି । ପ୍ରଦୀପ F54 ବର୍ଗରେ ୨୭.୪୫ ମିଟରର ସର୍ବୋତ୍ତମ ଥ୍ରୋ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଆୟୁଷ F53 ବର୍ଗରେ ୧୭.୮୮ ମିଟରର ଥ୍ରୋ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଇରାନର ଏର୍ଫାନ ବୋନ୍ଦୋରି ୩୦.୨୪ ମିଟରର ଥ୍ରୋ ସହ ସାମଗ୍ରିକ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି।
ଟେନିସରେ ପଦକ ବର୍ଷା
ପାରା ଟେବୁଲ୍ ଟେନିସରେ ଭାରତ ଆଉ ଏକ ପଦକ ହାସଲ କରିଛି। ସୋନାଲବେନ୍ ପଟେଲ ମହିଳା ସିଙ୍ଗଲ୍ସ 'କ୍ଲାସ୍ ୩' (Class 3) ବିଭାଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଫାଇନାଲ୍ ମ୍ୟାଚରେ ସୋନାଲବେନ୍ ଦକ୍ଷିଣ କୋରିଆର ୟୁନ୍ ଜିୟୁଙ୍କ ଠାରୁ ୦-୩ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। କୋରିଆର ଏହି ଖେଳାଳି ୧୧-୭, ୧୧-୫ ଏବଂ ୧୧-୬ ସ୍କୋର ସହ ମ୍ୟାଚ୍ ଜିତି ନେଇଥିଲେ।
ମହିଳା ସିଙ୍ଗଲ୍ସ 'କ୍ଲାସ୍ ୯' ବର୍ଗରେ ରବି ବେବି ସହାନା ଏହି ବ୍ରୋଞ୍ଜ ପଦକ ଜିତିଛନ୍ତି। ସେମିଫାଇନାଲରେ ସେ ଚୀନର ମାଓ ଜିଙ୍ଗଡିଆନଙ୍କ ଠାରୁ ୦-୩ ସେଟରେ ପରାସ୍ତ ହୋଇଥିଲେ। ଯଦିଓ ଭାରତୀୟ ଖେଳାଳି ଜଣକ ୮-୧୧, ୨-୧୧ ଏବଂ ୪-୧୧ ସ୍କୋରରେ ପରାଜିତ ହୋଇଥିଲେ, ତଥାପି ଶେଷ ଚାରିଜଣଙ୍କ ମଧ୍ୟରେ (ସେମିଫାଇନାଲରେ) ପହଞ୍ଚିବା ତାଙ୍କ ପାଇଁ ଏକ ପଦକ ସୁନିଶ୍ଚିତ କରିଦେଇଥିଲା।
ପ୍ରାଚୀ ପାଣ୍ଡେ ମହିଳା ସିଙ୍ଗଲ୍ସ 'କ୍ଲାସ୍ ୬' ପାରା ଟେବୁଲ୍ ଟେନିସ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେମିଫାଇନାଲ୍ ମ୍ୟାଚରେ ସେ ଇରାକର ଅଲ୍-ଦାୟେନି ନଜଲାଙ୍କ ଠାରୁ ୦-୩ ସେଟ୍ରେ ପରାସ୍ତ ହୋଇଥିଲେ। ଇରାକୀ ଖେଳାଳି ଜଣକ ଏହି ମ୍ୟାଚକୁ ୧୧-୯, ୧୧-୨ ଏବଂ ୧୧-୮ ସ୍କୋରରେ ଜିତି ନେଇଥିଲେ।
ଗତକାଲି ପ୍ରଥମ ଦିନରେ ଭାରତ ଖାତାକୁ ୧୧ ଟି ପଦକ ଆସିଥିଲା । ଦ୍ୱିତୀୟ ଦିନରେ ବର୍ତ୍ତମାନ ସୁଦ୍ଧା ୫ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଏବଂ ୯ଟି କାଂସ୍ୟ ପଦକ ସହିତ ମୋଟ ୨୦ଟି ପଦକ ଭାରତକୁ ମିଳିଛି । ଏହା ସହିତ ପଦକ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ସେପଟେ ଅନ୍ୟ ଖେଳାଳି ମାନେ ମଧ୍ୟ ପଦକ ସୁନିଶ୍ଚିତ କରିଥିବାବେଳେ କେବଳ ଫାଇନାଲ ମୁକାବିଲା ବାକି ରହିଛି ।