ମୁମ୍ବାଇ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଚୟନ କମିଟି ଅଧ୍ୟକ୍ଷ ଭାବେ ପ୍ରଜ୍ଞାନ ଓଝା ବିଧିବଦ୍ଧଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବରିଷ୍ଠତା ଦୃଷ୍ଟିରୁ ପ୍ରଜ୍ଞାନ ଅଜିତ ଅଗରକରଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ପ୍ରଜ୍ଞାନ ଓଝା ଭାରତୀୟ ଦଳ ପାଇଁ ୨୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଯେଉଁଥିପାଇଁ ତାଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବରେ ନିଯୁକ୍ତ କରିବାରେ ଏକ ମୁଖ୍ୟ କାରଣ ବୋଲି ବିସିସିଆଇ ସ୍ପଷ୍ଟ କରିଛି । ସେହିପରି ରମେଶ ପାୱାର କମିଟିର ନୂଆ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଚୟନ କମିଟିରେ ରମେଶଙ୍କୁ ସାମିଲ କରାଯିବା ନେଇ ବିସିସିଆଇ ଘୋଷଣା କରିଛି ।
ପୱାର ଭାରତ ପାଇଁ ଦୁଇଟି ଟେଷ୍ଟ ମ୍ୟାଚ୍ ଏବଂ ୩୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ନିଜ କ୍ୟାରିୟର ମଧ୍ୟରେ ସେ ଫାଷ୍ଟ-କ୍ଲାସ୍, ଲିଷ୍ଟ-ଏ ଏବଂ ଆନ୍ତର୍ଜାତୀୟ ମ୍ୟାଚ୍ଗୁଡ଼ିକୁ ମିଶାଇ ମୋଟ ୩୧୨ଟି ମ୍ୟାଚ୍ ଖେଳିଛନ୍ତି । ସେ ୧୪୮ଟି ଫାଷ୍ଟ-କ୍ଲାସ୍ ମ୍ୟାଚ୍ ଖେଳି ୪୭୦ଟି ୱିକେଟ୍ ହାସଲ କରିଥିଲେ। ଏହା ବ୍ୟତୀତ, ସେ ୧୧୩ଟି 'ଲିଷ୍ଟ ଏ' (List A) ମ୍ୟାଚ୍ରେ ୧୪୨ଟି ୱିକେଟ୍ ନେଇଛନ୍ତି । ସେ ୨୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ଯେଉଁଥିରେ ସେ ୧୪ଟି ୱିକେଟ୍ ନେଇଥିଲେ।
ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଅଶୋକ ମଲହୋତ୍ରା ଏବଂ ଜତିନ ପରାଞ୍ଜପେଙ୍କୁ ନେଇ ଗଠିତ କ୍ରିକେଟ୍ ପରାମର୍ଶଦାତା କମିଟି ଏହି ପଦ ପାଇଁ ଚୟନ ପ୍ରକ୍ରିୟା ପରିଚାଳନା କରିଥିଲା। ଆବେଦନକାରୀଙ୍କ ସହ ସାକ୍ଷାତକାର ପରେ ସିଇସି ସର୍ବସମ୍ମତି କ୍ରମେ ରମେଶ ପାୱାରଙ୍କ ନିଯୁକ୍ତି ପାଇଁ ସୁପାରିଶ କରିଥିଲା। ବୋର୍ଡ ଆହୁରି ମଧ୍ୟ ଜଣାଇଛି ଯେ, ପ୍ରଜ୍ଞାନ ଓଝା ତାଙ୍କ ବରିଷ୍ଠତାକୁ ଦୃଷ୍ଟିରେ ରଖି ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ ଜାରି ରଖିବେ।
ବିସିସିଆଇ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ କୃତଜ୍ଞତା ଜଣାଇଛି । ଅଜିତଙ୍କ ନିଷ୍ଠା, ଦୃଢ଼ ବିଶ୍ୱାସ ଏବଂ ଅବଦାନକୁ ବିସିସିଆଇ ପ୍ରଶଂସା କରିଛନ୍ତି । ୨୦୨୩ ଜୁଲାଇ ମାସରେ ନିଯୁକ୍ତ ହେବା ପରେ, ସେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ କମିଟିର ନେତୃତ୍ୱ ନେଇଥିଲେ। ତାଙ୍କ କାର୍ଯ୍ୟକାଳରେ ଭାରତ ତିନୋଟି ଆଇସିସି ଟ୍ରଫି, ଦୁଇଟି ଏସିଆ କପ୍ ଟାଇଟଲ୍ ଏବଂ ଏସୀୟ କ୍ରୀଡ଼ାରେ କ୍ରମାଗତ ଭାବେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛି ।