ବେଙ୍ଗାଲୁରୁ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବର୍ତ୍ତମାନ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ୪ଟି ମ୍ୟାଚ୍ ଶେଷ ସୁଦ୍ଧା ସିରିଜ୍ ୨-୨ ସ୍ଥିତିରେ ବରାବର ରହିଥିବା ବେଳେ ଶନିବାର ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା ଖେଳାଯିବ।
ତେବେ ଏହି ମହାମୁକାବିଲା ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ନିରାଶଜନକ ଖବର । ପ୍ରଥମ ୪ଟି ମ୍ୟାଚ୍ରେ ବର୍ଷା କୌଣସି ପ୍ରକାର ବାଧା ସୃଷ୍ଟି କରିନଥିବା ବେଳେ, ବେଙ୍ଗାଲୁରୁରେ ହେବାକୁ ଥିବା ପଞ୍ଚମ ମ୍ୟାଚ୍ରେ ବର୍ଷା ଖେଳ ବିଗାଡ଼ିପାରେ ବୋଲି ଆଶଙ୍କା କରାଯାଉଛି।
ମ୍ୟାଚ୍ ସମୟରେ ବର୍ଷାର ବଡ଼ ଆଶଙ୍କା
‘BBC Weather’ର ଆକଳନ ଅନୁଯାୟୀ, ଶନିବାର ସନ୍ଧ୍ୟାରେ ମ୍ୟାଚ୍ ସମୟରେ ବେଙ୍ଗାଲୁରୁରେ ପ୍ରାୟ ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ, ବିଶେଷ କରି ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କ୍ରମାଗତ ଭାବେ ବର୍ଷା ହେବାର ଆଶଙ୍କା ରହିଛି। ସନ୍ଧ୍ୟା ୬:୩୦ରେ ଟସ୍ ପୂର୍ବରୁ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ହୋଇପାରେ।
ଯଦିଓ ବର୍ଷାର ଆଶଙ୍କା ରହିଛି, ତଥାପି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମର 'ସବ୍-ଏୟାର' ଡ୍ରେନେଜ୍ ସିଷ୍ଟମ୍ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଆଶ୍ୱାସନା। ଏହି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଯୋଗୁଁ ବର୍ଷା ଥମିବାର ମାତ୍ର ୧୦ ରୁ ୧୫ ମିନିଟ୍ ମଧ୍ୟରେ ପୂର୍ବ ପିଚ୍ ଓ ଆଉଟଫିଲ୍ଡ ସଂପୂର୍ଣ୍ଣ ଶୁଖିଯାଏ। ଫଳରେ ବର୍ଷା ଛାଡ଼ିବା ପରେ ମ୍ୟାଚ୍ ପୁଣି ଆରମ୍ଭ କରିବାରେ ଅଧିକ ସମୟ ନଷ୍ଟ ହୁଏନାହିଁ।