ଆଜି ବଲିଉଡ୍ରେ ହେମା ମାଳିନୀଙ୍କ ନାଁ ଶୁଣିଲେ ମନକୁ ଆସେ ‘ଡ୍ରିମ୍ ଗର୍ଲ’ର ଛବି। ନିଜ ଅଭିନୟ ଓ ନୃତ୍ୟରେ ସେ ଦର୍ଶକଙ୍କ ମନ ଜିଣିଛନ୍ତି। କିନ୍ତୁ ତାଙ୍କ କ୍ୟାରିୟରର ଆରମ୍ଭ ଏତେ ସହଜ ନଥିଲା। ଦିନେ ଜଣେ ନିର୍ଦ୍ଦେଶକ ତାଙ୍କୁ ଫିଲ୍ମରୁ ବାଦ୍ ଦେବା ସହ ଭବିଷ୍ୟତରେ ଷ୍ଟାର ହୋଇପାରିବେ ନାହିଁ ବୋଲି କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ହେମା ନିଜ ପ୍ରତିଭା ବଳରେ ସେହି ଆକଳନକୁ ଭୁଲ୍ ପ୍ରମାଣିତ କରିଥିଲେ।
ହେମାଙ୍କ ମା’ ଜୟା ଚକ୍ରବର୍ତ୍ତୀ ଝିଅକୁ ଜଣେ ସଫଳ ଅଭିନେତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ। ଛୋଟବେଳୁ ହେମାଙ୍କୁ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ଦିଆଯାଇଥିଲା। ତାଙ୍କ ନୃତ୍ୟ ପ୍ରଦର୍ଶନ ଦେଖି ଦକ୍ଷିଣ ଭାରତର ଫିଲ୍ମ ନିର୍ମାତାମାନେ ମଧ୍ୟ ଆକର୍ଷିତ ହୋଇଥିଲେ। ମାତ୍ର କିଶୋରୀ ବୟସରେ ହେମାଙ୍କ ସାମ୍ନାକୁ ଆସିଥିଲା ଏକ ଅପ୍ରତ୍ୟାଶିତ ଘଟଣା।
ତାମିଲ ନିର୍ଦ୍ଦେଶକ ସି.ଭି. ଶ୍ରୀଧର ହେମାଙ୍କୁ ଏକ ଫିଲ୍ମରେ ଲଞ୍ଚ୍ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ତାଙ୍କର ଫଟୋଶୁଟ୍ ମଧ୍ୟ ହୋଇଥିଲା। ଏହାପରେ ହେମାଙ୍କୁ ଫିଲ୍ମରୁ ବାଦ୍ ଦିଆଯାଇଥିଲା। ତାଙ୍କୁ ଦେଖି ହିରୋଇନ୍ ହେବାର ସମ୍ଭାବନା ନାହିଁ ବୋଲି ମନ୍ତବ୍ୟ ଦିଆଯାଇଥିବାରୁ ହେମା ଓ ତାଙ୍କ ପରିବାର ଅପମାନିତ ଅନୁଭବ କରିଥିଲେ।
ଏହି ଘଟଣା ପରେ ମଧ୍ୟ ହେମା ନିଜ ନୃତ୍ୟ ଓ କଳାର ଯାତ୍ରା ଜାରି ରଖିଥିଲେ। ୧୯୬୩ରେ ତାମିଲ ଫିଲ୍ମ ‘ଇଦୁ ସାଥିୟମ୍’ର ଏକ ଗୀତରେ ନୃତ୍ୟ କରିବାର ସୁଯୋଗ ମିଳିଥିଲା। ପରେ ରାଜ କପୁରଙ୍କ ଫିଲ୍ମ ‘ସପନୋ କା ସୌଦାଗର’ରେ ୧୯୬୮ରେ ହିନ୍ଦୀ ସିନେମାରେ ପଦାର୍ପଣ କରିଥିଲେ ସେ।
ଏହାପରେ ହେମା ମାଳିନୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିଥିଲା। ଅଭିନୟ ସହ ଶାସ୍ତ୍ରୀୟ ନୃତ୍ୟରେ ତାଙ୍କ ଦକ୍ଷତା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଯେଉଁ ଆରମ୍ଭରେ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା, ସେହି ଯାତ୍ରା ହିଁ ତାଙ୍କୁ ପରେ ବଲିଉଡ୍ର ଡ୍ରିମ୍ ଗର୍ଲ ଭାବେ ପରିଚିତ କରାଇଥିଲା। ଆଜି ସେଇ ଡ୍ରିମ୍ ଗର୍ଲଙ୍କ ଜନ୍ମଦିନ, ସେ ଆଜି ୭୮ ବର୍ଷରେ ପାଦ ଥାପିଛନ୍ତି, ଏଥିପାଇଁ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।