ମୁମ୍ବାଇ: ଅଭିନେତା ଇମରାନ ଖାନ ମୁମ୍ବାଇ ପୋଲିସର ଭାରତ ଛାଡ଼ ନୋଟିସକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଆସନ୍ତା ସୋମବାର ଇମରାନଙ୍କ ଓକିଲ ଜୁଲଫିକର୍ ମେମନ ମୁମ୍ବାଇ ପୋଲିସ ନୋଟିସ୍ ବିରୋଧରେ ହାଇକୋର୍ଟରେ ଆବେଦନ ଦାଖଲ କରିବେ ।
ଜୁଲଫିକର୍ ଯୁକ୍ତି ଦେଇଛନ୍ତି ଯେ ଓବରସିଜ୍ ସିଟିଜେନ ଅଫ୍ ଇଣ୍ଡିଆ (ଭାରତୀୟ ବଂଶୋଦ୍ଭବ ବିଦେଶୀ ନାଗରିକ) ବା ଓସିଆଇ କାର୍ଡରେ ଏଭଳି କୌଣସି ନିୟମ ନାହିଁ ଯେ ଓସିଆଇ କାର୍ଡ ଧାରୀ କୌଣସି ପ୍ରଦର୍ଶନରେ ସାମିଲ ହୋଇ ପାରିବେ ନାହିଁ । ମୁମ୍ବାଇ ପୋଲିସର ଏଭଳି ପଦକ୍ଷେପକୁ ସେ କଠୋର ନିଷ୍ପତ୍ତି ବୋଲି ଦର୍ଶାଇଛନ୍ତି । ଏହି ମାମଲାରେ ତ୍ୱରିତ ଶୁଣାଣି ପାଇଁ ମଧ୍ୟ ଆବେଦନ କରାଯିବ । ବିଚାରପତି ମହେଶ ଚନ୍ଦ୍ର ତ୍ରିପାଠୀ ଏବଂ ବିଚାରପତି ଅଦ୍ୱୈତ ସେଠନାଙ୍କ ନିକଟରେ ମାମଲା ଦାଖଲ ହେବ ।
ଉଲ୍ଲେଖ ଯୋଗ୍ୟ, ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ 'ସିଜେପି' ଦ୍ୱାରା ଆୟୋଜିତ ଏକ ବିକ୍ଷୋଭ ପ୍ରଦର୍ଶନରେ ଇମ୍ରାନ୍ ଖାନ୍ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ତାଙ୍କ ସହ ତାଙ୍କ ବାନ୍ଧବୀ ଲେଖା ୱାଶିଂଟନ୍ ଏବଂ ତାଙ୍କର ଜଣେ ସମ୍ପର୍କୀୟା ଭଉଣୀ ସାମିଲ ଥିଲେ । ଏହି ବିକ୍ଷୋଭରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ପ୍ରଦର୍ଶନ ହୋଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ମୁମ୍ବାଇ ପୋଲିସ ଇମ୍ରାନ୍ ଖାନ୍ଙ୍କୁ ହେପାଜତକୁ ନେଇଥିଲା।
କ’ଣ କହୁଛି ଓସିଆଇ ନିୟମ ?
ଓସିଆଇ ନିୟମାବଳୀ ଅନୁଯାୟୀ, ବିଦେଶୀ ନାଗରିକମାନଙ୍କର ଭାରତ ମଧ୍ୟରେ କୌଣସି ସାମ୍ବିଧାନିକ କିମ୍ବା ରାଜନୈତିକ ଅଧିକାର ନଥାଏ। ଏହା ବ୍ୟତୀତ, ସେମାନଙ୍କୁ ଭାରତୀୟ ନାଗରିକଙ୍କ ଭଳି ସମାନ ସୁବିଧା-ସୁଯୋଗ ମିଳେ ନାହିଁ । ଯଦିଓ ଏହି ମାନ୍ୟତା ସେମାନଙ୍କୁ ଭାରତକୁ ଏକାଧିକ ଥର ଆସିବା ଏବଂ ଯିବାର ଅନୁମତି ଦେଇଥାଏ। ସମ୍ପତ୍ତି ମାଲିକାନା, ଯାତାୟାତ ଏବଂ କାର୍ଯ୍ୟ କରିବା ଅନୁମତି (ୱାର୍କ ପରମିଟ୍) କ୍ଷେତ୍ରରେ, ସେମାନଙ୍କୁ ଅଣ-ନିବାସୀ ଭାରତୀୟ (NRI) ମାନଙ୍କ ସହ ସମାନ ଅଧିକାର ପ୍ରଦାନ କରାଯାଇଥାଏ। ଏପରିକି ସେମାନେ କୌଣସି ନିର୍ବାଚନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିପାରିବେ ନାହିଁ । ମତଦାନ କିମ୍ବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଅନୁମତି ନାହିଁ । ଯଦି ଏହି ନିୟମାବଳୀର କୌଣସି ଉଲ୍ଲଂଘନ ହୁଏ, ତେବେ ସେମାନଙ୍କୁ ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେବାର ଅଧିକାର ଭାରତ ସରକାରଙ୍କ ପାଖରେ ରହିଛି।