ମୁମ୍ବାଇ: : ବଲିଉଡ୍ ଅଭିନେତା ନାନା ପାଟେକରଙ୍କ ଦେହାନ୍ତରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନାନା ପାଟେକରଙ୍କର ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।
ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଗଭୀର ଭାବେ ମର୍ମାହତ ହୋଇଥିବା କହିଛନ୍ତି ରାଷ୍ଟ୍ରପତି । ସେ ତାଙ୍କର ଶକ୍ତିଶାଳୀ ଓ ହୃଦୟସ୍ପର୍ଶୀ ଅଭିନୟ ମାଧ୍ୟମରେ ସେ ବିଭିନ୍ନ ପ୍ରକାରର ମାନବୀୟ ଅନୁଭୂତିକୁ ଜୀବନ୍ତ କରିପାରିଥିଲେ। ସେ ଏପରି ଚରିତ୍ର ରୂପାୟନ କରିଥିଲେ ଯାହା ଲୋକଙ୍କ ହୃଦୟ ଓ ମନରେ ଏକ ସ୍ଥାୟୀ ଛାପ ଛାଡ଼ିଯାଇଛି । ସମାଜସେବା ପ୍ରତି ତାଙ୍କର ନିଷ୍ଠା, ଅବହେଳିତ ବର୍ଗର ଲୋକଙ୍କ ପ୍ରତି ତାଙ୍କର ସମ୍ବେଦନଶୀଳତାକୁ ପ୍ରତିଫଳିତ କରୁଥିଲା। ତାଙ୍କର ବିୟୋଗ ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ ଏକ ବଡ଼ କ୍ଷତି । ତାଙ୍କ ପରିବାରବର୍ଗ ଓ ପ୍ରଶଂସକମାନଙ୍କୁ ମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ମୁର୍ମୁ ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଶୋକ ବ୍ୟକ୍ତ କରି କହିଛନ୍ତି ଯେ ଶ୍ରୀ ନାନା ପାଟେକରଙ୍କ ଅଭିନୟରେ ଯେଉଁ ବିବିଧତା, ଗଭୀରତା ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଦେଖିବାକୁ ମିଳୁଥିଲା, ତାହା ବହୁତ କମ୍ ଅଭିନେତାଙ୍କଠାରେ ଦେଖିବାକୁ ମିଳେ । ନାନା ପାଟେକର ନିଜର ପ୍ରତ୍ୟେକ ଭୂମିକାରେ ପ୍ରଶଂସନୀୟ ବହୁମୁଖୀ ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ ଏବଂ ଏପରି କିଛି ଚରିତ୍ର ରୂପାୟନ କରିଥିଲେ ଯାହାକୁ ଆମେ ପିଢ଼ି ପିଢ଼ି ଧରି ମନେ ରଖିବୁ। ସେ ଜଣେ ମୁକ୍ତ ଓ ସରଳ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା ଥିଲେ। ନାନା ପାଟେକର ସର୍ବଦା ନିଜର ମତାମତ ସ୍ପଷ୍ଟ ଭାବେ ବ୍ୟକ୍ତ କରୁଥିଲେ। ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ର ଜଗତକୁ ନାନା ପାଟେକରଙ୍କ ଅବଦାନ ଅତୁଳନୀୟ ଥିଲା। ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ କେହି ପୂରଣ କରିପାରିବେ ନାହିଁ। ଏହି ଦୁଃଖଦ ସମୟରେ ଆମେ ତାଙ୍କ ପରିବାର, ବନ୍ଧୁବର୍ଗ ଏବଂ ଅସଂଖ୍ୟ ପ୍ରଶଂସକଙ୍କ ସହିତ ରହିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଗୁରୁବାର ସକାଳେ ଗୋଆର ଡୋନା ପାଉଲାସ୍ଥିତ ବାସଭବନରେ ଘରେ ନାନା ପାଟେକରଙ୍କୁ ଅଚେତନ ଅବସ୍ଥାରେ ପରିବାର ଲୋକେ ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ଗୋଆର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ସିପିଆର୍ ଦେଇ ତାଙ୍କୁ ସଚେତ କରାଇବାକୁ ଅନେକ ଚେଷ୍ଟା କରିଥିଲେ । ଶେଷରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ନାନା ପାଟେକର ୧୯୭୮ ମସିହାର ଚଳଚ୍ଚିତ୍ର 'ଗମନ୍' ଚଳଚ୍ଚିତ୍ର ଜରିଆରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ 'କ୍ରାନ୍ତିବୀର', 'ଯଶୱନ୍ତ' 'ତ୍ରିରଙ୍ଗା', ‘ପରିନ୍ଦା’, ‘ୱେଲକମ୍’ ଭଳି ଅନେକ ଲୋକପ୍ରିୟ ତଥା ପ୍ରଶଂସିତ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ । ତାଙ୍କ ଚଳଚ୍ଚିତ୍ରର ସଂଳାପଗୁଡ଼ିକ ମଧ୍ୟ ଲୋକପ୍ରିୟ ମଧ୍ୟରେ ଅତିପ୍ରିୟ ହୋଇପାରିଥିଲା । ଯାହାକୁ ଲୋକେ ଏବେବି ମନେ ରଖିଛନ୍ତି । କେବଳ ହିନ୍ଦୀ ନୁହେଁ ସେ ମରାଠୀ ଭାଷାରେ ମଧ୍ୟ ଅନେକ ଚଳଚ୍ଚିତ୍ର ଅଭିନୟ ଯାଦୁ ଦେଖାଇଛନ୍ତି ।