'ଧୁରନ୍ଧର' ନିର୍ଦ୍ଦେଶକ ଆଦିତ୍ୟ ଧର ଏବଂ ନ୍ୟାସନାଲ୍ ଏୱାର୍ଡ ୱିନର୍ ଅଭିନେତ୍ରୀ ୟାମୀ ଗୌତମଙ୍କ ବଡ଼ ନିଷ୍ପତ୍ତି। ମୁମ୍ବାଇର ଭିଡ଼ରୁ ଦୂରେଇ ହିମାଚଳ ପ୍ରଦେଶର ମଣ୍ଡିରେ ଥିବା ହେରିଟେଜ୍ ହୋମରେ ବିତାଇବେ ସମୟ!
୧୦୦ ବର୍ଷ ପୁରୁଣା ଘରେ ରହିବାକୁ ମୁମ୍ବାଇ ଛାଡ଼ିଲେ ଆଦିତ୍ୟ ଓ ୟାମୀ
ନ୍ୟାସନାଲ୍ ଏୱାର୍ଡ ୱିନର୍ ଅଭିନେତ୍ରୀ ୟାମୀ ଗୌତମ୍ ଏବଂ ‘ଧୁରନ୍ଧର’ର ନିର୍ଦ୍ଦେଶକ ଆଦିତ୍ୟ ଧର ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ। ଜଣାପଡ଼ିଛି ଯେ ସେମାନେ ମୁମ୍ବାଇ ଛାଡ଼ି ଦେଇଛନ୍ତି ଏବଂ ଏବେ ହିମାଚଳ ପ୍ରଦେଶ ଶିଫ୍ଟ ହୋଇଯାଇଛନ୍ତି।
ଅଭିନେତ୍ରୀ ୟାମୀ ଗୌତମ୍ ଏବଂ ‘ଧୁରନ୍ଧର’ ଫେମ୍ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ପାୱାର୍ କପଲ୍ ବୋଲି ମାନାଯାଏ। ଦୁହେଁ ନିଜ ନିଜ କାମ ଦ୍ୱାରା ଦର୍ଶକଙ୍କ ମନ ଜିଣିଛନ୍ତି। ମୁମ୍ବାଇର ଫିଲ୍ମୀ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଦମ୍ପତି ଏବେ ମୁମ୍ବାଇ ହିଁ ଛାଡ଼ି ଦେଇଛନ୍ତି। ଏକ ରିପୋର୍ଟରେ ଜଣାପଡ଼ିଛି ଯେ ୟାମୀ ଗୌତମ୍ ଧର ଏବଂ ଆଦିତ୍ୟ ଧର ମୁମ୍ବାଇର ବ୍ୟସ୍ତବହୁଳ ଜୀବନରୁ ଦୂରରେ ହିମାଚଳ ପ୍ରଦେଶରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁହେଁ ନିଜର ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖିବାକୁ ଚାହାନ୍ତି, ସେଥିପାଇଁ ସେମାନେ ହିମାଚଳରେ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ କାମ ପାଇଁ ସେମାନଙ୍କର ମୁମ୍ବାଇ ଆସିବା ଯିବା ଜାରି ରହିବ।
‘ଫ୍ରି ପ୍ରେସ୍ ଜର୍ନାଲ୍’ ର ଏକ ରିପୋର୍ଟରେ କୁହାଯାଇଛି ଯେ ୟାମୀ ଗୌତମ୍ ଏବଂ ଆଦିତ୍ୟ ଧର ନିଜର ବ୍ୟକ୍ତିଗତ ଜୀବନ ଏବଂ କାମର ସମୟକୁ ଅଲଗା କରିଦେଇଛନ୍ତି। ଏପରି ସ୍ଥିତିରେ କାମପାଟ ତ ସେମାନଙ୍କର ମୁମ୍ବାଇରେ ହେବ, କିନ୍ତୁ ରହିବା ପାଇଁ ସେମାନେ ହିମାଚଳ ପ୍ରଦେଶ ଶିଫ୍ଟ ହୋଇଯାଇଛନ୍ତି। ଆଦିତ୍ୟ ଧରଙ୍କୁ ବିବାହ କରିବା ପୂର୍ବରୁ ୟାମୀ ହିମାଚଳର ମଣ୍ଡି ଜିଲ୍ଲାସ୍ଥିତ ଗୋହର ଅଞ୍ଚଳରେ ୧୦୦ ବର୍ଷ ପୁରୁଣା ଏକ ହେରିଟେଜ୍ ପ୍ରପର୍ଟି କିଣିଥିଲେ। ଏହି ହେରିଟେଜ୍ ହୋମ୍ଟି ୨୫ ଏକର ପରିମିତ ଜମିରେ ରହିଛି। କୁହାଯାଏ ଯେ ଏହି ପ୍ରପର୍ଟି ୟାମୀଙ୍କ ପରିବାର ଏବଂ ପିଲାଦିନର ସ୍ମୃତି ସହ ଜଡ଼ିତ।
ଜୁନ୍ ୨୦୨୧ ରେ ଯେତେବେଳେ ଆଦିତ୍ୟ ଧର ଏବଂ ୟାମୀ ବିବାହ କଲେ, ସେତେବେଳେ ଏହି ପ୍ରପର୍ଟି ଆହୁରି ଖାସ୍ ହୋଇଗଲା। ହିମାଚଳରେ ଥିବା ସେମାନଙ୍କର ଏହି ଘର କାଠ ଏବଂ ପଥରରେ ନିର୍ମିତ, ଯେଉଁଥିରେ ସୁନ୍ଦର ବଗିଚା ମଧ୍ୟ ରହିଛି। ସେଠାରେ ସେଓ, ଆଳୁ, ଆଲୁବୁଖାରା ଏବଂ ଅଦା ଚାଷ କରାଯାଇଥାଏ।
ମୁମ୍ବାଇରେ କେଉଁଠି ରହୁଥିଲେ?
ହିମାଚଳ ପ୍ରଦେଶକୁ ସମ୍ପୂର୍ଣ୍ଣ ଭାବେ ଶିଫ୍ଟ ହେବା ପୂର୍ବରୁ ଆଦିତ୍ୟ ଏବଂ ୟାମୀ ବିବାହ ପରେ ମୁମ୍ବାଇର ଖାର୍ (ୱେଷ୍ଟ) ଅଞ୍ଚଳରେ ରହୁଥିଲେ। ଏହା ଏକ ବଡ଼ ଆପାର୍ଟମେଣ୍ଟ ଥିଲା, ଯେଉଁଥିରେ ଏହି ଦମ୍ପତି ଭଡ଼ାରେ ରହୁଥିଲେ। ‘ଧୁରନ୍ଧର’ର ପ୍ରଥମ ପାର୍ଟର ପ୍ରମୋସନ୍ ସମୟରେ ଆଦିତ୍ୟ ଧର ମଜାକରେ ନିଜ ଘର ବିଷୟରେ କହିଥିଲେ, "ମୋ ଘର ଚିତ୍ରକାର ଧୁରନ୍ଧର ମାର୍ଗରେ ଅଛି।"
ୟାମୀ ଏବଂ ଆଦିତ୍ୟଙ୍କ ୱାର୍କଫ୍ରଣ୍ଟ
ଆଦିତ୍ୟ ଧର ‘ଧୁରନ୍ଧର’ ଏବଂ ‘ଧୁରନ୍ଧର ୨’ ର ବମ୍ପର ସଫଳତା ପରେ ଦେଶର ସବୁଠାରୁ ଅଧିକ ଚାହିଦା ଥିବା ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି। ତାଙ୍କ ଫିଲ୍ମ ହିନ୍ଦୀର ଦ୍ୱିତୀୟ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ହୋଇପାରିଛି। ସେହିପରି ୟାମୀ ଗୌତମ୍ କିଛି ଦିନ ପୂର୍ବରୁ ହିଁ ‘ଆର୍ଟିକିଲ୍ ୩୭୦’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ନ୍ୟାସନାଲ୍ ଏୱାର୍ଡ ଜିତିଛନ୍ତି। ଏବେ ସେ ନିଜର ଆଗାମୀ ଫିଲ୍ମ ‘ନଈ ନୱେଲୀ’ ରେ ନଜର ଆସିବେ। ଏହି ଫିଲ୍ମଟି ୧୬ ଅକ୍ଟୋବର ୨୦୨୬ ରେ ସିନେମାଘରଗୁଡ଼ିକରେ ମୁକ୍ତିଲାଭ କରିବ।