ମୁମ୍ବାଇ: ବଲିଉଡ଼ ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। 'ୱେଲକମ୍' ଏବଂ 'ସ୍ତ୍ରୀ ୨' ଭଳି ସୁପରହିଟ୍ ଫିଲ୍ମରେ ନିଜର ଚମତ୍କାର ଅଭିନୟ ପାଇଁ ଜଣାଶୁଣା ପ୍ରସିଦ୍ଧ ଅଭିନେତା ମୁସ୍ତାକ ଖାଁ ଆଉ ନାହାନ୍ତି। ମାତ୍ର ୫୬ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ସେ ଦୀର୍ଘ ଦିନ ହେବ ଲିଭର୍ କ୍ୟାନସର୍ ଅର୍ଥାତ୍ ଯକୃତ କର୍କଟ ସହ ସଂଗ୍ରାମ ଚଳାଇଥିଲେ।
ଅଭିନେତା ମୁସ୍ତାକ ଖାଁଙ୍କ ବିୟୋଗ ନେଇ ତାଙ୍କ ବିଜନେସ୍ ପାର୍ଟନର ଶିବମତାଙ୍କ ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମୁସ୍ତାକ ଖାଁ ଶେଷ ନିଶ୍ୱାସତ୍ୟାଗ କରିଛନ୍ତି। ପୂର୍ବରୁ ତାଙ୍କର ଲିଭର୍ କ୍ୟାନସର୍ ହୋଇଥିଲା ଏବଂ ଚିକିତ୍ସା ପରେ ସେ ସୁସ୍ଥ ମଧ୍ୟ ହୋଇଯାଇଥିଲେ। କିନ୍ତୁ ମୃତ୍ୟୁର ମାତ୍ର ୮ ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ହୋଇପଡ଼ିଥିଲା। ତେଣୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଶେଷରେ ସେ ମୃତ୍ୟୁ ସହିତ ଲଢ଼େଇରେ ହାରିଯାଇଥିଲେ।
ଅଭିନେତାଙ୍କ ଅକାଳ ବିୟୋଗରେ ସମଗ୍ର ବଲିଉଡ଼ ଇଣ୍ଡଷ୍ଟ୍ରି ଏବଂ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ଶୁକ୍ରବାର ୟାରି ରୋଡ୍ ସ୍ଥିତ କବରସ୍ଥାନରେ ତାଙ୍କୁ ଅନ୍ତିମ ସଂସ୍କାର କରାଯିବ। ଅଲ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ମଧ୍ୟ ସୋସିଆଲ ମିଡିଆରେ ଗଭୀର ଶୋକ ପ୍ରକାଶ କରାଯାଇଛି।
ମୁସ୍ତାକ ଖାଁ ନିଜର ଦମଦାର୍ କମିକ୍ ଟାଇମିଂ ଏବଂ ସପୋର୍ଟିଂ ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ 'ୱେଲକମ୍', 'ଆଶିକୀ', 'ମୁଝ୍ସେ ଶାଦି କରୋଗୀ', 'ହମ୍ ହୈ ରାହି ପ୍ୟାର୍ କେ', 'ସ୍ତ୍ରୀ ୨' ଏବଂ ୨୦୨୫ରେ ମୁକ୍ତିଲାଭ କରିଥିବା 'ଉଦ୍ଧୟପୁର ଫାଇଲ୍ସ: କହ୍ନେୟା ଲାଲ୍ ଟେଲର୍ ମର୍ଡର୍' ସାମିଲ ରହିଛି।