ଭୁବନେଶ୍ୱର : ୯୯ତମ ଓସ୍କାର ଆୱାର୍ଡ ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ମରାଠୀ ଫିଲ୍ମ ‘ଗୋନ୍ଧଳ’କୁ ଚୟନ କରାଯାଇଛି। ଶୁକ୍ରବାର, ସେପ୍ଟେମ୍ବର ୧୮ ତାରିଖରେ ମୁମ୍ବାଇଠାରେ ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ (FFI) ପକ୍ଷରୁ ଏହି ଘୋଷଣା କରାଯାଇଛି। ଚଳିତ ବର୍ଷ ଓସ୍କାର ଦୌଡ଼ରେ ଥିବା ୩୦ରୁ ଅଧିକ ଫିଲ୍ମ ମଧ୍ୟରୁ ନିର୍ଦ୍ଦେଶକ ସନ୍ତୋଷ ଦାବଖରଙ୍କ ‘ଗୋନ୍ଧଳ’କୁ ଜୁରୀ ଚୟନ କରିଛନ୍ତି। ଓସ୍କାର ପୁରସ୍କାର ପାଇଁ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିବା ଏହା ଚତୁର୍ଥ ମରାଠୀ ଚଳଚ୍ଚିତ୍ର।
ମହାରାଷ୍ଟ୍ରର ପାରମ୍ପରିକ ‘ଗୋନ୍ଧଳ’ ରୀତିନୀତିକୁ ଆଧାର କରି ଫିଲ୍ମର କାହାଣୀ ଗଢ଼ାଯାଇଛି। । ଲୋକ-ଅନୁଷ୍ଠାନର ପୃଷ୍ଠଭୂମିରେ, ଏକ ଉତ୍ତେଜନାପୂର୍ଣ୍ଣ ରାତିର ଘଟଣାବଳୀକୁ ନେଇ ଏହି କାହାଣୀ ଗଢ଼ି ଉଠିଛି। ଏହା ସୁମନ୍ ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦ୍ର କରି ଗତିଶୀଳ, ଯିଏ ଏକ ଦମନକାରୀ ବୈବାହିକ ଜୀବନରେ ଛନ୍ଦି ହୋଇପଡ଼ି ନିଜ ପ୍ରେମିକ ସହ ମିଶି ପଳାୟନ ଓ ହତ୍ୟାକାଣ୍ଡର ଯୋଜନା କରନ୍ତି। ଫଳସ୍ୱରୂପ, ଏକ ଉତ୍ସବମୁଖର ଅନୁଷ୍ଠାନ କାମନା, ପ୍ରତାରଣା ଏବଂ ବଞ୍ଚିରହିବାର ସଂଘର୍ଷକୁ ନେଇ ଏକ ଅନ୍ଧକାରମୟ କାହାଣୀରେ ପରିଣତ ହୁଏ।
ଏହି ଫିଲ୍ମରେ କିଶୋର କଦମ, ଇଶିତା ଦେଶମୁଖ, ଯୋଗେଶ ସୋହନୀ, ନିଶାଦ ଭୋଇର ଓ ଅନୁଜ ପ୍ରଭୁ ପ୍ରମୁଖ ଭୂମିକାରେ ଅଛନ୍ତି।
ଗୋନ୍ଧଳ’ ହେଉଛି ନିର୍ଦ୍ଦେଶକ ସନ୍ତୋଷ ଦାବଖରଙ୍କ ପ୍ରଥମ ଫିଚର ଫିଲ୍ମ। ଗୋଆରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆରେ ଏହା ପ୍ରଦର୍ଶିତ ହୋଇ ‘ସିଲ୍ଭର ପିକକ୍’ ସ୍ପେଶାଲ୍ ଜୁରୀ ସମ୍ମାନ ହାସଲ କରିଥିଲା। ତେବେ ୨୦୨୫ ନଭେମ୍ବରରେ ମୁକ୍ତିଲାଭ କରିଥିବା ଫିଲ୍ମର ଥିଏଟର ପ୍ରଦର୍ଶନ ସୀମିତ ରହିଥିଲା।
ଆଗାମୀ ଦିନରେ ଏକାଡେମୀ ପକ୍ଷରୁ ଇଣ୍ଟରନ୍ୟାସନାଲ୍ ଫିଚର ଫିଲ୍ମ ବିଭାଗରେ ୧୫ଟି ଫିଲ୍ମର ସର୍ଟଲିଷ୍ଟ ଓ ପରେ ଚୂଡ଼ାନ୍ତ ୫ଟି ମନୋନୟନ ଘୋଷଣା କରାଯିବ। ୯୯ତମ ଓସ୍କାର ଆୱାର୍ଡ୍ସ ୨୦୨୭ ମାର୍ଚ୍ଚ ୧୪ ତାରିଖରେ ଅନୁଷ୍ଠିତ ହେବ।