ଭୁବନେଶ୍ୱର : ଆଗାମୀ ବିଧାନସଭାର ଅଧିବେଶନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀରେ ବ୍ୟାପକ ଟ୍ରାଫିକ୍ କଟକଣା ଓ ରୁଟ୍ ଡାଇଭର୍ସନ ଲାଗୁ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବାକୁ ଥିବାରୁ ସୁରକ୍ଷା ଓ ସୁଗମ ଯାତାୟାତ ପାଇଁ ଏହି କଟକଣା ଜାରି ହୋଇଛି। ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ, ୨୦୦୩ ର ଧାରା ୨୮ ଅନୁଯାୟୀ କମିଶନରେଟ୍ ପୋଲିସ ଏହି ନିୟମାବଳୀ ଜାରି କରିଛି।
ସୂଚନା ଅନୁଯାୟୀ ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ପଟକୁ ଆସୁଥିବା ଗାଡ଼ିଗୁଡ଼ିକୁ କେଶରୀ ଟକିଜ୍ ଛକ ନିକଟରୁ ବାମକୁ ଡାଇଭର୍ଟ କରାଯିବ। ଏଜି ଛକ ଆଡ଼ୁ ପିଏମଜି ଆସୁଥିବା ଯାନବାହନ ଜୟଦେବ ଭବନ ନିକଟରୁ ଡାହାଣକୁ ବୁଲି ଆଇଜି ପାର୍କ ରାସ୍ତା ଦେଇ ଯାତ୍ରା କରିବେ। : ମାଷ୍ଟର କ୍ୟାଣ୍ଟିନ ପଟରୁ ପିଏମଜି ଆଡ଼କୁ ଯାଉଥିବା ସମସ୍ତ ଗାଡ଼ି ଲୋୟର ପିଏମଜି ନିକଟସ୍ଥ ପାର୍ଶ୍ୱ ଗଳି ଦେଇ ଯିବେ। ୧୨୦ ଇନଫାନ୍ଟ୍ରି ବାଟାଲିୟନ ଛକ ପଟରୁ କୌଣସି ଗାଡ଼ିକୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଅନୁମତି ମିଳିବ ନାହିଁ। ସେଗୁଡ଼ିକୁ ପାୱାର ହାଉସ ଛକ ଆଡ଼କୁ ଡାଇଭର୍ଟ କରାଯିବ।
ସେହିପରି ଲୋକସେବା ଭବନ ପଟରୁ ଏମଏଲଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକୁ ଶାସ୍ତ୍ରୀ ନଗର ଛକ ଆଡ଼କୁ ପଠାଯିବ। ଏହି ସମସ୍ତ କଟକଣା ଜରୁରୀକାଳୀନ ଯାନବାହନ ଯେପରିକି ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି, ଏବଂ ପୋଲିସ ଗାଡ଼ି ପାଇଁ ଲାଗୁ ହେବ ନାହିଁ। ଏହାସହ ବିଧାନସଭା, ଲୋକସେବା ଭବନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ଅନୁମତିପତ୍ର (Pass) ଥିବା ଗାଡ଼ିଗୁଡ଼ିକ ଏହି ରୁଟ୍ ଦେଇ ଯାଇପାରିବେ।
ତେବେ ସାଧାରଣ ଜନତାଙ୍କୁ ଯାତାୟାତ ସମୟରେ ଅସୁବିଧା ଏଡ଼ାଇବା ପାଇଁ ବିକଳ୍ପ ରାସ୍ତାର ବ୍ୟବହାର କରିବାକୁ ଏବଂ ଟ୍ରାଫିକ୍ ପୋଲିସକୁ ସହଯୋଗ କରିବାକୁ କମିଶନରେଟ ପୋଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି ।