ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ବିହାରରେ ବନ୍ୟା ପ୍ରପୀଡ଼ିତ ପାଇଁ ନିଜ ଦରମା ଟଙ୍କା ଦାନ କରିଛନ୍ତି । ନିତିନ ନବୀନ ତାଙ୍କର ତିନି ମାସର ଦରମା ବନ୍ୟା ପୀଡିତଙ୍କ ପାଇଁ ଦାନ କରିବାକୁ ଘୋଷଣା କରିଛନ୍ତି । ନୀତିନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରାୟ ୬ ଲକ୍ଷ ୩୫ ହଜାର ଟଙ୍କା ଦେଇଛନ୍ତି ।
ବିହାର ବନ୍ୟାରେ ପ୍ରାୟ ୫୦ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ନିତିନ ନବୀନ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ରାଜ୍ୟସଭା ସାଂସଦ ଭାବରେ ସେ ତାଙ୍କର ତିନି ମାସର ଦରମା ୬୩୫,୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ସେ କହିଛନ୍ତି ଯେ ବିହାରର ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି । ସରକାର ବନ୍ୟା ପୀଡିତଙ୍କ ନିକଟରେ ସମୟୋଚିତ ରିଲିଫ୍ ଏବଂ ଆବଶ୍ୟକୀୟ ସହାୟତା ପହଞ୍ଚାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି।
ବିହାର ସରକାର ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରକୁ ୭,୦୦୦ ଟଙ୍କା ପ୍ରଦାନ କରୁଛନ୍ତି। ଏପର୍ୟ୍ୟନ୍ତ ବନ୍ୟା ପୀଡିତଙ୍କୁ ମୋଟ ୫୫୦ କୋଟି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଶିବିର, ସାମୁଦାୟିକ ରୋଷେଇ ଘର, ଚିକିତ୍ସା ସୁବିଧା ଏବଂ ପଶୁ ଚାରା ବ୍ୟବସ୍ଥା ମଧ୍ୟ କରାଯାଉଛି ।