ଭଡ଼ାଟିଆଙ୍କ ଘରୁ ସୁନା ଅଳଙ୍କାର ଚୋରି ଅଭିଯୋଗରେ ଘର ମାଲିକାଣୀ ଓ ତାଙ୍କ ପୁଅକୁ ଗିରଫ କରିଛି ଧଉଳି ଥାନା ପୋଲିସ । ଅଭିଯୁକ୍ତ ଦୁଇଜଣ ହେଲେ ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଲେନ୍ ୧ ଜଗନ୍ନାଥ ନଗରର ସୋନାଲି ସାହୁ (୩୮) ଏବଂ ବିଶ୍ୱରଞ୍ଜନ ସାହୁ (୧୯) । ଦୁଇ ମାଆ ପୁଅଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ରାଜଲକ୍ଷ୍ମୀ ପ୍ରଧାନଙ୍କ ଲିଖିତ ଏତଲା ଆଧାରରେ ସେ ରହୁଥିବା ଭଡ଼ା ଘରୁ ପ୍ରାୟ ୩୮୦ ଗ୍ରାମ୍ ସୁନା ଅଳଙ୍କାର ଚୋରି ହୋଇଥିଲା । ଯାହାକୁ ନେଇ ପୋଲିସ ଅଗଷ୍ଟ ୧୩ ତାରିଖରେ କେସ୍ ନଂ.୧୯୯/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ତଦନ୍ତରୁ ଜଣାପଡ଼ିଥିଲା ଯେ, ରାଜଲକ୍ଷ୍ମୀ ଧଉଳି ଥାନା ଅଞ୍ଚଳରେ ସୋନାଲିଙ୍କ ଘରେ ଭଡ଼ାରେ ରହୁଥିଲେ । ଅସୁସ୍ଥତା କାରଣରୁ ସେ ଚିକିତ୍ସା ପାଇଁ ଅନ୍ୟତ୍ର ଯାଇଥିବା ବେଳେ ନିଜର ସମସ୍ତ ସୁନା ଅଳଙ୍କାର ଏକ ଲୁହା ଆଲମିରାରେ ରଖିଥିଲେ । ତେବେ ଘର ମାଲିକାଣୀଙ୍କୁ ପାଖରେ ଉକ୍ତ ଘରର ଏକ ଚାବି ଥିଲା । ରାଜଲକ୍ଷ୍ମୀଙ୍କ ଅନୁପସ୍ଥିତିରେ ସୋନାଲି ଏବଂ ତାଙ୍କ ପୁଅ ବିଶ୍ୱରଞ୍ଜନ ସେହି ସୁନା ଅଳଙ୍କାର ଚୋରି କରି ନେଇଥିଲେ । ଘରକୁ ଫେରି ରାଜଲକ୍ଷ୍ମୀ ସୁନା ଅଳଙ୍କାର ନ ଦେଖି ଥାନାରେ ଏତଲା ଦେଇଥିଲେ।